କନକ ବ୍ୟୁରୋ: ମୃତ କୂଳମଣି ବରାଳଙ୍କ ପୁଅଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରି ରାଜ୍ୟ ଆଇନ ବିଭାଗକୁ ନୋଟିସ୍ କରିବା ପରେ ସାରାରାଜ୍ୟରେ ହଟଚମଟ। ପୁଣି ଖୋଲିବ ମାହାଙ୍ଗା ଡବଲ ମର୍ଡର ମାମଲାର ଫାଇଲ। ବଢ଼ିଲା ପୂବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଅ। ସାକ୍ଷୀ ମାନଙ୍କୁ ପୁଣି ଜେରା କରିପାରେ ପୋଲିସ।..
ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲା ପୁଣି ଥରେ କଡଲେଉଟାଇଛି। ମୃତ କୁଳମଣି ବରାଳଙ୍କ ପୁଅ ରଞ୍ଜିତ ବରାଳଙ୍କ ପକ୍ଷରୁ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଆବେଦନର ଶୁଣାଣି କହି ସର୍ବୋଚ୍ଚନ୍ୟାୟାଳୟ, ରାଜ୍ୟ ଆଇନବିଭାଗକୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୪ସପ୍ତାହ ମଧ୍ୟରେ ମାମଲା ସମ୍ପର୍କିକ ସମସ୍ତ ତଥ୍ୟ ଦାଖଲ କରିବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସତ ପଦାକୁ ଆସିବ ବୋଲି କହିଛନ୍ତି ରଞ୍ଜିତଙ୍କ ଓକିଲ।
ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ତଳକୋର୍ଟରେ ଥିବା ମାମଲାକୁ ଖାରଜ କରିବା ସହ ତାଙ୍କୁ କ୍ଲିନଚିଟ୍ ଦେଇଥିଲେ ହାଇକୋର୍ଟ। ଏହି ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମୃତ କୁଳମଣୀ ବରାଳଙ୍କ ପୁଅ ରଞ୍ଜିତ ବରାଳ।
ସୁପ୍ରିମକୋର୍ଟ ନିର୍ଦ୍ଦେଶ ଆସିବା ପରେ ମୃତକଙ୍କ ପରିବାରରେ ନୂଆ ଆଶା ସଂଚାର ହୋଇଛି। ସେମାନଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି। ଅନ୍ୟପଟେ ରାଜ୍ୟ ବିଜେପି ପକ୍ଷରୁ ପ୍ରତିକ୍ରିୟା ଆସିଛି। ମନୋଜ ମହାପାତ୍ର କହିଛନ୍ତି, ଆଇନର ହାତ ବହୁତ ଲମ୍ବା। ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ନୂଆ ସରକାର ଆଇନ ଅନୁସାରେ ପଦକ୍ଷେପ ନେବେ।
୨୦୨୧ ମାହାଙ୍ଗା ଡବଲ ମର୍ଡର ମାମଲାରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ ଜେନା। କିନ୍ତୁ ଚାର୍ଜସିଟରେ ପ୍ରତାପଙ୍କ ନାଁ ନଥିଲା। ଏନେଇ ମୃତ କୁଳମଣିଙ୍କ ପୁଅ ଜେଏମଏଫସି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପ୍ରୋଟେଷ୍ଟ ପିଟିସନକୁ ଗ୍ରହଣ କରି ପ୍ରତାପଙ୍କ ନାଁ ତଦନ୍ତ ପରିସରଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି କୋର୍ଟ। ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ, ପ୍ରତାପ ଜେନା। ହାଇକୋର୍ଟ ଆବେଦନର ଶୁଣାଣି କରି ଜେଏମଏଫସି କୋର୍ଟଙ୍କ ରାୟକୁ ଖାରଜ କରିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/01/25/PiqDTN3UIc56wBnwARfC.jpg)