କନକ ବ୍ୟୁରୋ : ମହାନଦୀ କୂଳରେ ଦେଖିବାକୁ ମିଳିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ପ୍ରତ୍ୟେକ ଦିନ ହଜାର ହଜାର ଲୋକମାନେ ଏହି ମହାନଦୀ କୂଳରେ ଆସି ସମୟ ଅତିବାହିତ କରିଥାନ୍ତି । ଏକଦା ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକ ନିର୍ମାତାଙ୍କୁ ବି ମହାନଦୀ କୂଳକୁ ଆକର୍ଷିତ କରୁଥିଲା । ହେଲେ ଏବେ ସେ ପରିବେଶ ହଜିଗଲାଣି । ମହାନଦୀ ପାଣିରେ ଭାସୁଛି କୁଡ଼ କୁଢ଼ ଆବର୍ଜନା । ପରିତାପର ବିଷୟ ମହାନଦୀକୂଳ ସଫେଇ ପ୍ରତି ପ୍ରଶାସନ ଆଖି ବୁଜି ଦେଇଛି ।

Advertisment

ଜହର ପାଲଟୁଛି ଓଡିଶାର ମହାନଦୀ  
ଓଡିଶାର ଲାଇଫ ଲାଇନ କୁହାଯାଉଥିବା ମହାନଦୀ ଜହର ପାଲଟୁଛି । କଟକ ସହରର ସବୁ ଅଳିଆ ଆବର୍ଜ୍ଜନା ମହାନଦୀରେ ମିଶୁଛି । କିନ୍ତୁ ସଫା ହେବାର ନାଁ ଗନ୍ଧ ନାହିଁ । ମହାନଦୀ ପାଣିକୁ ପ୍ରଦୂଷଣମୁକ୍ତ କରିବାକୁ ଏହାର କୂଳରେ ଭୋଜି ଭାତ କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ବିଶେଷ କରି କଟକରେ ମହାନଦୀ ତଟର ପ୍ରମୁଖ ତୁଠ କୁହାଯାଉଥିବା ଚହଟା ଘାଟ, ମକରାକୁଡ଼ିଆ, ପାର୍କତୁଠ, ଅଲେଖ ଟୁଙ୍ଗି ଗଡ଼ା, ହାତୀଗଡ଼ା ତୁଠ, ଯୋବ୍ରା ତୁଠର ପରିବେଶ ଆବର୍ଜନାମୟ ହୋଇଥିବାରୁ ସହରବାସୀ ଏଭଳି ସମସ୍ୟାରେ ପଡ଼ିବା ଆଶଙ୍କା ଦେଖାଦେଇଛି ।  ଅନ୍ୟପଟେ ତୁଳସୀପୁର, କମଳାକାନ୍ତ ବିଦ୍ୟାପୀଠ, ରେଳପୋଲ, ଶିଖରପୁର, ଗାନ୍ଧୀପଲ୍ଲୀ, ନେହରୁପଲ୍ଲୀ, ଭଦିମୂଳ, କହ୍ନେଇପୁର, ଗତିରାଉତପାଟଣା, ଆୟତ୍ତପୁର ଓ ଜଗତପୁର  ଶିଳ୍ପାଞ୍ଚଳ ଆଦି ଏକାଧିକ ସ୍ଥାନର ଆବର୍ଜନା ପାଣି ମହାନଦୀରେରେ ମିଶୁଥିବା ହେତୁ ଧିରେ ଧିରେ ମହାନଦୀ ପାଣି ପ୍ରଦୂଷିତ ହେଉଛି । 

ଖରା ଦିନେ ଲୋକମାନେ ସକାଳ ଓ ସନ୍ଧ୍ୟାରେ ମହାନଦୀରେ ସ୍ନାନ କରିବା ପାଇଁ ଅଧିକ ପସନ୍ଦ କରନ୍ତି ହେଲେ ତୁଠ ଏବେ ଆବର୍ଜନା କୁଣ୍ଡ ପାଲଟିଥିବାରୁ ଲୋକମାନେ ଶାନ୍ତିରେ ସ୍ନାନ କରିବାରୁ ବଞ୍ଚିତ ହେଉଛନ୍ତି । ଯିଏ ଯାହା ପାରିଲା ସେ ମହାନଦୀ କୁ ଫିଙ୍ଗି ଦେଉଛନ୍ତି । ବିଶେଷ କରି ମହାନଦୀ କୂଳରେ ଯେଉଁମାନେ ଦୋକାନୀ ରହିଛନ୍ତି ସେମାନେ ଅଧିକ ଅଳିଆ ଆବର୍ଜ୍ଜନା ଫିଙ୍ଗୁଛନ୍ତି । ଏତେ ଓଡ଼ିଶାର ଅନ୍ୟତମ ଐତିହ୍ୟ ମହାନଦୀକୁ କେଉଁଦିନ ସଫା କରାଯାଉଛି ତାହା ଦେଖିବାକୁ ବାକି ରହିଲା ।