କନକ ବ୍ୟୁରୋ: ମହାନଦୀ ଜଳ ବିବାଦର ହେବ କି ସମାଧାନ? ଟ୍ରିବ୍ୟୁନାଲ ଟିମ୍ର ଗସ୍ତ ଭିତରେ ଏଭଳି ପ୍ରଶ୍ନ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ମନରେ ଉଙ୍କି ମାରିଛି। ହେଲେ ଏଭଳି ସମୟରେ ଟ୍ରିବ୍ୟୁନାଲ ଗସ୍ତକୁ ନେଇ ଆରମ୍ଭ ହୋଇଛି କାଦୁଆ ଫିଙ୍ଗା ରାଜନୀତି। ପୂର୍ବ ସରକାର ମୁଣ୍ଡରେ ସବୁ ଦୋଷ ଠେଲିଦେଇ ବିଜେପି କହିଛି, ସମାଧାନର ରାସ୍ତା ଆମେ ଖୋଜୁଛୁ। ଅନ୍ୟପଟେ ବିଜେଡି କହିଛି, ଟ୍ରିପଲ ଇଞ୍ଜିନ ସରକାର ତ ଅଛି, ମହାନଦୀକୁ ନ୍ୟାୟ ଦେବାରେ ଅସୁବିଧା କେଉଁଠି। ଏସବୁ ଭିତରେ ଟ୍ରିବ୍ୟୁନାଲ ଗସ୍ତକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ସମିତି।
ଏହା ବି ପଢ଼ନ୍ତୁ: ଚାଷୀମୃତ୍ୟୁ ନେଇ ମନ୍ତ୍ରୀଙ୍କ ବେପରୁଆ ଉତ୍ତର, ସନ୍ଦେହ ଘେରରେ ମିଲର୍ ଓ ସମବାୟ ସମ୍ପାଦକ
ପୂର୍ବ ବିଜେଡି ସରକାର ମହାନଦୀ ଜଳ ବିବାଦ ସୃଷ୍ଟି କରିଥିଲେ। ବିଜେପି ସରକାର ଏହାର ସମାଧାନ କରିବ। ତାହା ବି ଓଡ଼ିଶାର ସ୍ବାର୍ଥକୁ ସୁରକ୍ଷିତ ରଖି। ଟ୍ରିବ୍ୟୁନାଲ ଟିମ୍ ହୀରାକୁଦ ମୁଖ୍ୟ ଡ୍ୟାମ ସହ ଲେଫ୍ଟ ସ୍ପିଲ ୱେ, ଜବାହର ଉଦ୍ୟାନ, ବୁର୍ଲା ପାୱାର ହାଉସ ପରିଦର୍ଶନ ସହ ସ୍ଥିତି ପରଖିବା ପରେ କିଛି ଏମିତି କହିଛନ୍ତି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ। ଟ୍ରିବ୍ୟୁନାଲ ଟିମ୍ ସହ ଛତିଶଗଡ ଓ ଓଡ଼ିଶାର ଜଳ ସମ୍ପଦ ଅଧିକାରୀଙ୍କ ବୈଠକରେ ମହାନଦୀ ଜଳ ବିବାଦର ଇତିହାସ ଓ ଆଗାମୀ ଭବିଷ୍ୟତ ନେଇ ଆଲୋଚନା ହୋଇଛି। ଆପୋସ ଆଲୋଚନାରେ ହିଁ ବିବାଦର ସମାଧାନ ହେବ ଓ ଓଡ଼ିଶା ହକ୍ ପାଇବ ବୋଲି ଆଶ୍ବସ୍ତ କରିଛନ୍ତି ଏଜି। ଏହାସହ ପୂର୍ବ ସରକାରର ଭୁଲର ପରିଣାମ ଓଡ଼ିଶା ଭୋଗୁଛି ବୋଲି କହି ବିଜେଡିକୁ କରିଛନ୍ତି କଟାକ୍ଷ।
ଗୋଟିଏ ପଟେ ଟ୍ରିବ୍ୟୁନାଲ ଜରିଆରେ ସମାଧାନର ସୂତ୍ର ଖୋଜା ଚାଲିଛି । ଅନ୍ୟପଟେ ଟ୍ରିବ୍ୟୁନାଲ ଗସ୍ତକୁ ବିରୋଧ କରିବାକୁ ଅଣ୍ଟା ଭିଡ଼ିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ସମିତି । ଶନିବାର କଟକ ଗଡଗଡିଆ ଘାଟରେ ୨ ଘଣ୍ଟିଆ ଧାରଣା ଦିଆଯିବ । ୨୦୨୩ରେ ଟ୍ରିବ୍ୟୁନାଲ ଆସିଥିଲେ ମଧ୍ୟ ଓଡ଼ିଶାକୁ ନ୍ୟାୟ ମିଳିନଥିଲା । ଏବେ ଟ୍ରିବ୍ୟୁନାଲର ଆୟୁଷ ସରି ଆସୁଥିବା ବେଳେ ବିଳାସମୟ ଗସ୍ତ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସୁଦର୍ଶନ। ଅନ୍ୟପଟେ ବିଜେଡି କହିଛି, ଟ୍ରିପଲ ଇଞ୍ଜିନ ସରକାର ଅଛି। ବେଆଇନ ବ୍ୟାରେଜ ଭାଙ୍ଗି ମହାନଦୀକୁ ନ୍ୟାୟ ଦେଉ ବିଜେପି ସରକାର । ଟ୍ରିବ୍ୟୁନାଲ ଗସ୍ତ ଭିତରେ ଆପୋଷ ଆଲୋଚନାକୁ ଅଧିକ ଭରସିଛି ଓଡ଼ିଶା । ପ୍ରଶ୍ନ ଉଠୁଛି, ଶାସକ-ବିରୋଧୀଙ୍କ କାଦୁଅଫିଙ୍ଗା ରାଜନୀତି ଭିତରେ ମହାନଦୀକୁ ନ୍ୟାୟ ମିଳିବ ତ ?
Follow Us