କନକ ବ୍ୟୁରୋ : ମହାନଦୀ ଜଳକୁ ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଆବଶ୍ୟକ l ଟ୍ରିବୁନାଲ ନୁହେଁ, ମଧ୍ୟସ୍ଥତା ମାଧ୍ୟମରେ ସମାଧାନ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାର ପତି ଜଷ୍ଟିସ୍ ଗୋପାଳ ଗୌଡା କହିଛନ୍ତି l ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଦିଲ୍ଲୀରେ ମହାନଦୀ ସଂସଦ ବସିଥିଲା । ଜଳ ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଉଚିତ ବୋଲି କହିଛନ୍ତି ଜଷ୍ଟିସ ଗୋପାଳ ଗୌଡ଼ ।

Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାରଙ୍କ ଦ୍ୱାରା ମାର୍ଚ୍ଚ ୨୦୧୮ରେ ପ୍ରତିଷ୍ଠିତ ମହାନଦୀ ଟ୍ରିବ୍ୟୁନାଲ ବିବାଦର ସମାଧାନ ଦିଗରେ ଏ ପର୍ଯ୍ୟନ୍ତ କିଛି ପ୍ରଗତି ହୋଇନି । କାବେରୀ ସହ ଅନ୍ୟାନ୍ୟ ନଦୀ ବିବାଦର ଉଦାହରଣ ଦେଇ ଜଷ୍ଟିସ୍ ଗୌଡା କହିଛନ୍ତି ଯେ ଜଳ ବିବାଦର ବିଚାର ବର୍ଷ ବର୍ଷ ଧରି ଚାଲିପାରେ l ମଧ୍ୟସ୍ଥତା ମାର୍ଗରେ ଗଲେ ଦ୍ରୁତ ସମାଧାନ ପ୍ରଦାନ ହୋଇ ପାରିବ ଏବଂ ଉଭୟ ପକ୍ଷଙ୍କ ପାଇଁ  ଲାଭଦାୟକ ସାବ୍ୟସ୍ତ ହୋଇପାରେ ।

ବର୍ତ୍ତମାନ ଓଡିଶା, ଛତିଶଗଡ ଓ଼ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ସରକାର l ତେଣୁ ମଧ୍ୟସ୍ଥତା ମାଧ୍ୟମରେ ସମାଧାନର ସମ୍ଭାବନା ଅଧିକ ହୋଇପାରେ । ମହାନଦୀ ବଚାଓ ଆନ୍ଦୋଳନ ଏହି ନଦୀ ସହିତ ଜଡିତ ଲୋକଙ୍କ ଅଧିକାର ପାଇଁ ଆନ୍ଦୋଳନର ନେତୃତ୍ୱ ନେଇ ଆସୁଛି । ଏକ ବିକଳ୍ପ ବିବାଦ ସମାଧାନ ପାଇଁ ଅନୁଷ୍ଠିତ ମହାନଦୀ ସଂସଦରେ ବହୁ ଆଇନଜୀବୀ, ରାଜନେତା, ଆଇନ ପ୍ରଣେତା, ଚିନ୍ତାନାୟକ, ପୂର୍ବତନ ପ୍ରଶାସନ ଏବଂ ନାଗରିକ ସମାଜ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।