କନକ ବ୍ୟୁରୋ: ବିଧାନସଭାରେ ଉଠିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୌପଚାରିକ ସ୍ତରରେ କେବଳ ଆଲୋଚନା କରିଛନ୍ତି । ହେଲେ ଏହି ସମ୍ପର୍କରେ କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ପ୍ରକାର ଲିଖିତ ଦାବି ଉପସ୍ଥାପନ କରାଯାଇନି । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବିରୋଧୀ ଆସନରେ ଥିବା ସମୟରେ, ଅନେକ ସମୟରେ ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ଶାସକ ବିଜେଡିକୁ ଘେରୁଥିଲା ବିଜେପି । ଆଉ ଏବେ ସରକାରକୁ ଆସିବା ପରେ ଏନେଇ ଅନୌପଚାରିକ ଭାବେ କେବଳ କଥା ଆରମ୍ଭ କରିଛନ୍ତି ମୋହନ ସରକାର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏ ନେଇ ଏଯାଏଁ କୌଣସି ବି ଲିଖିତ ଦାବି ଛତିଶଗଡ ପାଖରେ ଉପସ୍ଥାପନ କରିନି ଓଡ଼ିଶା । ଏ ସମ୍ପର୍କରେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ।
ଅନ୍ୟପଟେ ବିଧାୟକ ସୌଭିକ ବିଶ୍ୱାଳ ମଧ୍ୟ ମହାନଦୀ ପ୍ରସଙ୍ଗରେ ବିଧାନସଭାରେ ପ୍ରଶ୍ନ କରିଛନ୍ତି । ବିଗତ ୫ ବର୍ଷରେ ହୀରାକୁଦ ତଳମୁଣ୍ଡରେ କେତେ ମାସରେ କେତେ ଜଳପ୍ରବାହ ହେଇଛି ଏବଂ କେତେ ଥର ବନ୍ୟା ହେଇଛି ସେନେଇ ପ୍ରଶ୍ନ କରିଛନ୍ତି ସୌଭିକ । ଏଥିସହ ମହାନଦୀର ସୁରକ୍ଷା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି ସେ ନେଇ ମଧ୍ୟ ସୌଭିକ ବିଶ୍ୱାଳ ପ୍ରଶ୍ନ କରିଛନ୍ତି । ଯାହାର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଲିଖିତ ଉତ୍ତର ରଖି ମୋହନ ମାଝୀ କହିଥିଲେ ଯେ, ମହାନଦୀର ଉପର ମୁଣ୍ଡରେ ମହାନଦୀ ଆଉ ତା ଉପନଦୀଗୁଡିକ ଉପରେ ଛତିଶଗଡ ସରକାରଙ୍କ ଦ୍ୱାରା ଅନେକ ଗୁଡିଏ ବୃହତ, ମଧ୍ୟମ ଓ କ୍ଷୁଦ୍ର ବନ୍ଧ ସହିତ ବ୍ୟାରେଜ ହେଇଥିବାରୁ ଓଡ଼ିଶାର ମହାନଦୀରେ ଜଳପ୍ରବାହ ହ୍ରାସ ପାଉଛି । ତେବେ ମହାନଦୀର ସୁରକ୍ଷା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବା ସହିତ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହେଇଛନ୍ତି । ଏହାବାଦ୍ ମାନ୍ୟବର ଟ୍ରିବ୍ୟୁନାଲଙ୍କ ନିକଟରେ ଏହି ବିବାଦ ବିଚାରାଧୀନ ଅଛି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି ।