କନକ ବ୍ୟୁରୋ : ଉପରମୁଣ୍ଡରେ ବର୍ଷା ଯୋଗୁ ବଢ଼ୁଛି ହୀରାକୁଦ ଜଳସ୍ତର । ଫଳରେ ମହାନଦୀ ଫୁଲିବାରେ ଲାଗିଛି । ବର୍ତ୍ତମାନ ହୀରାକୁଦର ୨୪ ଟି ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ଶୁକ୍ରବାର ୨ଟି ପର୍ଯ୍ୟାୟରେ ହୀରାକୁଦର ୮ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୬.୪୧ ଫୁଟ୍ ରହିଛି । ଏବେ ୩ ଲକ୍ଷ ୮୬ ହଜାର ୨୮ କ୍ୟୁସେକ୍ ଜଳ ଡ୍ୟାମକୁ ପ୍ରବେଶ କରୁଛି । ସେହିପରି ମହାନଦୀ ତଳମୁଣ୍ଡ ବେଲଗାଁରେ ୧୪ ହଜାର କ୍ୟୁସେକ୍, ପର୍ଥଲାରେ ୩୭ ହଜାର କ୍ୟୁସେକ୍, ଖଇରମାଳରେ ୪ ଲକ୍ଷ ୧୮ ହଜାର କ୍ୟୁସେକ୍, ବରମୂଳରେ ୩ ଲକ୍ଷ ୧୧ ହଜାର କ୍ୟୁସେକ୍ ଓ ମୁଣ୍ଡଳିରେ ୧ ଲକ୍ଷ ୯୬ ହଜାର ୦୨୬ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା । ଅନ୍ୟପକ୍ଷରେ ୨୪ଟି ଗେଟ୍ ଖୋଲାଯିବାରୁ ସମ୍ବଲପୁର ସହର ଉପକଣ୍ଠ ମାଳତି ନଦୀରେ ମହାନଦୀର ପଛୁଆପାଣି ପଶି ମାଳତି ଗୁଣ୍ଡେରପୁର ପୋଲ ଉପରେ ୨ ଫୁଟ ପାଣି ପ୍ରବାହିତ ହେଉଛି ।
ଏପଟେ ଧୀରେ ଧୀରେ କମୁଛି ଜଳକା ନଦୀର ଜଳସ୍ତର । ନଦୀର ମଥାନିଠାରେ ବିପଦ ସଂକେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ରହିଛି ୬.୫୮ ମିଟର । ଗତକାଲି ୬.୭୯ ମିଟର ପର୍ଯ୍ୟନ୍ତ ଜଳସ୍ତର ବୃଦ୍ଧି ପାଇଥିଲା ଫଳରେ ବସ୍ତା ବ୍ଲକର ମଥାନି ଚଟାଣ, ପଳାସିଆ ରାସ୍ତା ଉପରେ ବନ୍ୟାପାଣି ପ୍ରବାହିତ ହେଉଥିଲା । ତେବେ କୁଡ଼ିଆ ଗାଁର କିଛି ଲୋକଙ୍କ ଘରେ ପାଣି ପଶିଥିଲା । ଏବେ ଯଦିଓ ଜଳସ୍ତର ସାମାନ୍ୟ କମିଛି କିନ୍ତୁ ଦୁର୍ଦ୍ଦଶା କମୁନି । ଗାଁରୁ ଧୀରେ ଧୀରେ ପାଣି ଛାଡ଼ିବା ଆରମ୍ଭ କରିଥିବାବେଳେ ଏବେବି ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣିରେ ବୁଡ଼ି ରହିଛି । ନିଷ୍କାସନର ବ୍ୟବସ୍ଥା ନଥିବାରୁ ଏବଂ ନୟନଯୋରି ଅବରୋଧ ହୋଇଥିବାରୁ ପାଣି ଛାଡ଼ିବା ପାଇଁ ଆହୁରି ୩ ରୁ ୪ ଦିନ ସମୟ ଲାଗିପାରେ । ଯାହା ଫଳରେ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ଆଶଙ୍କା କରିଛନ୍ତି ଚାଷୀ ।
ସେପଟେ ବୁଡ଼ିଛି ବ୍ରିଜ । ବ୍ରିଜ ଉପରେ ଚାଲୁଛି ଡ଼ଙ୍ଗା । ସମ୍ବଲପୁରରୁ ସୋନପୁର ଯୋଗାଯୋଗ ବିଛିନ୍ନ । କିଏ ସାଇକେଲ କାନ୍ଧରେ ବୋହି ପାର ହେଉଛି ତ ଆଉ କିଏ ଜୀବନକୁ ବାଜି ଲଗାଇ ପୋଲ ପାର୍ କରୁଛି । ହୀରାକୁଦର ୨୪ଟି ଗେଟ୍ ଖୋଲିବା ପରେ ବ୍ରିଜ୍ ବୁଡ଼ି ଯାଇଥିବାରୁ ଯାତାୟାତ ଠପ୍ ହୋଇଯାଇଛି । ସମ୍ବଲପୁରରୁ ସୋନପୁରକୁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ଯଦି ବର୍ଷା ଲାଗି ରହେ ତେବେ ବହୁ ଅସୁବିଧାର ସମ୍ମୁଖୀନ ହେବେ ସାଧାରଣ ଲୋକ ।
ତେବେ ପ୍ରବଳ ବର୍ଷା ଯୋଗୁଁ ଦେଶର ଅଧିକାଂଶ ଅଞ୍ଚଳ ଜଳମଗ୍ନ । ଦିଲ୍ଲୀ-ପଞ୍ଜାବ ସମେତ କିଛି ରାଜ୍ୟରେ ବନ୍ୟା ବିଭୀଷିକା ଯୋଗୁ ହନ୍ତସନ୍ତ ଲୋକେ । ଏହି ଭୟଙ୍କର ବିପର୍ଯ୍ୟୟର ମୁକାବିଲା ପାଇଁ କେନ୍ଦ୍ରୀୟ ରିଲିଫ୍ ପାଣ୍ଠି ଯୋଗାଇ ଦେବାକୁ ପ୍ରଭାବିତ ରାଜ୍ୟଗୁଡ଼ିକ ଦାବି କରିଛନ୍ତି । ଆଉ ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକର ଗସ୍ତ କରିବେ ଏବଂ ସ୍ଥିତିର ସମୀକ୍ଷା କରିବେ । ଉତ୍ତର ଭାରତର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଓ ବନ୍ୟା ଯୋଗୁ ରାସ୍ତାଘାଟ ଓ ଧନଜୀବନର ବ୍ୟାପକ କ୍ଷତି ହୋଇଛି । ବିଶେଷକରି ଦିଲ୍ଲୀ, ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ୫୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଏପରିକି ଗତ ଦୁଇ ଦିନ ମଧ୍ୟରେ ଭୂସ୍ଖଳନ, ବର୍ଷା, ବନ୍ୟା ଯୋଗୁ ଅନେକ ଲୋକଙ୍କ ଜୀବନ ଯାଇଛି । ଉତ୍ତର ଭାରତର ଏହି ସବୁ ରାଜ୍ୟ ଦଶନ୍ଧି ପରେ ସବୁଠାରୁ ଭୟଙ୍କର ମୌସୁମୀଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀ ଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଭୂସ୍ଖଳନ ଯୋଗୁ ଅନେକ ରାସ୍ତା ବନ୍ଦ ହୋଇଯାଇଛି । ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇପଡ଼ିଛି । ଫସଲ ନଷ୍ଟ ସହ ପ୍ରଭାବିତ ଅଞ୍ଚଳରେ ହଜାର ହଜାର ଲୋକ ଫସି ରହିଛନ୍ତି । ଏସବୁ ସ୍ଥିତିରେ ସୁଧାର ଆସିବା ପାଇଁ କିଛି ଦିନ ସମୟ ଲାଗିପାରେ ।