କନକ ବ୍ୟୁରୋ: ନୂଆବର୍ଷରେ ନୂଆରୁପରେ ଝଲସିବ ସମ୍ୱଲପୁର ମହାନଦୀ କୂଳ। ବନ୍ଦ ଥିବା ମହାନଦୀ ଆଳତି ପୁଣି ଆରମ୍ଭ ହେବ। ପୁଣି ଅନୁଭଵ ହେବ ଦିବ୍ୟ ପରିବେଶ। ମାଆ ସମଲେଇଙ୍କ ମାହାତ୍ମ୍ୟ ପର୍ୟ୍ୟଟକ ଜାଣିବେ। ନୂଆବର୍ଷରେ ସମଲେଇ ପ୍ରକଳ୍ପ ଅଧୀନରେ ମହାନଦୀ ଆଳତି କରାଯିବ ।
ମହାନଦୀ ଘାଟରେ ମହାଆଳତି । ସମଲେଇ ପୀଠରେ ଝଲସିବ ସଂସ୍କୃତିର ଝଲକ। ମହାନଦୀ କୂଳରେ ବନ୍ଦ ଥିବା ଆଳତି ପୁଣି ଆରମ୍ଭ ହେବାକୁ ଯାଉଛି। ସମଲେଇ ପ୍ରକଳ୍ପ ଅଧୀନ ମହାନଦୀ ଘାଟରେ ନୂଆବର୍ଷରେ ସବୁ ସନ୍ଧ୍ୟାରେ ନୂଆରୂପରେ ଆଳତୀ ପାଇଁ ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଘଣ୍ଟଘଣ୍ଟାରେ ଝଙ୍କୁରିତ ହେବ ମହାନଦୀ କୂଳ। ଏନେଇ ସବୁ ପ୍ରସ୍ତୁତି ସରିଥିବା ବେଳେ ପୂଜକଙ୍କୁ ମଧ୍ୟ ବିଶେଷ ପ୍ରଶିକ୍ଷଣ ଦିଆଯାଇଛି ।
ଏଥର ମହାନଦୀ ଆଳତି ସମୟରେ ସମ୍ବଲପୁରୀ ଭାଷାରେ ସମଲେଇ ଭଜନ ବାଜିବ। ମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ମହାନଦୀ ବନ୍ଦନା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଭଳି ଆୟୋଜନ ଦ୍ୱାରା ପର୍ୟ୍ୟଟକଙ୍କ ସଂଖ୍ୟା ବଢ଼ିବା ସହ ପର୍ୟ୍ୟଟନର ବିକାଶ ହୋଇପାରିବ ବୋଲି ଆଶା କରାଯାଇଛି । ପୁଣି ମହାନଦୀ ଆଳତୀ ଆରମ୍ଭ ନେଇ ସୂଚନା ମିଳିବା ପରେ ସମ୍ବଲପୁରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି ।