କନକ ବ୍ୟୁରୋ: ରାଜ୍ୟର ସମସ୍ତ ଶକ୍ତିପୀଠରେ ଚାଲିଛି ସ୍ବତନ୍ତ୍ର ରୀତିନୀତି ଓ ପୂଜାର୍ଚ୍ଚନା। ପୂଜା ମଣ୍ଡପ ଗୁଡିକରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ହୋଇଛି। ଆଜି ଷଷ୍ଠୀରେ ମଣ୍ଡପରେ ବିଲ୍ବବରଣ କରାଯିବ। ଆସନ୍ତାକାଲି ମହାସପ୍ତମୀରେ ଚକ୍ଷୁଦାନ ସହ ଧରାବତରଣ କରିବେ ଜଗଜ୍ଜନନୀ ମା’ ଦୁର୍ଗା। 

Advertisment

ଭୁବନେଶ୍ବରର ପୂଜା ମଣ୍ଡପ ଗୁଡ଼ିକରେ ରୀତିନୀତି ଓ ଉତ୍ସାହର ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ରଙ୍ଗବେରଙ୍ଗର ସାଜସଜା ସହ ପ୍ରତି ପୂଜାମଣ୍ଡପ ଗୁଡ଼ିକ ବେଶ୍ ଆକର୍ଷଣୀୟ ହୋଇଛି। 

କଟକ ଶଗଡିଆ ସାହି ଦୁର୍ଗା ପୂଜା କମିଟି ଓ ଛତ୍ରବଜାର ଦୁର୍ଗା ପୂଜା କମିଟି ପକ୍ଷରୁ ମା'ଙ୍କ ପୂଜା ବେଶ ଧୁମଧାମରେ ପାଳନ କରାଯାଉଛି। ଉଭୟ ମଣ୍ଡପରେ ଦୀର୍ଘ ୧୦୦ ବର୍ଷରୁ ଅଧିକ ସମୟ ହେବ ମା'ଙ୍କ ପୂଜା ହୋଇଆସୁଥିବା ବେଳେ ଛତ୍ର ବଜାରରେ ମା’ ଚାନ୍ଦି ମେଢ଼ରେ ଶୋଭା ପାଉଛନ୍ତି । 

ପୁରୀ ଜିଲ୍ଲା ପିପିଲି  ମା ବଗଳାମୁଖି ପୀଠରେ ଆରମ୍ଭ ହେଉଛି ମହାସପ୍ତମୀ ପୂଜା।  ମା’ ବଗଳାମୁଖୀ ୨ କୁଇଣ୍ଟାଲରୁ ଅଧିକ ରୁପାମେଢ଼ରେ ଅଭୁଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ! 

କାକଟପୁରର ମାଆ ମଙ୍ଗଳାଙ୍କ ପୀଠରେ ସିଂହ ବାହିନୀ ବେଶ ଅନୁଷ୍ଠିତ ହେଉଛି।  ମାଆ କାତି ଖରପର ବେଶରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି। 

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ନବଦୁର୍ଗା ପୁଜାକୁ ୨୪ ଵର୍ଷ  ପହଞ୍ଚିଥିବା ବେଳେ ମହାଆଡ଼ମ୍ବରରେ ପାଳିତ ହେଉଛି। 

ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା । ନବରାତ୍ର ପୂଜାର ସପ୍ତମ ଦିବସ ଏବଂ ଷୋଡଶ ଉପଚାର ପୂଜା ପନ୍ଦର ଦିନରେ ପହଂଚିଛି।