କନକ ବ୍ୟୁରୋ: କେବେ ୩୫ ଖଣ୍ଡ, କେବେ ୫୯ ଖଣ୍ଡ... ହତ୍ୟା ପରେ ଫ୍ରିଜରେ ମୃତଦେହ । ୨୦୨୨ରେ ଦିଲ୍ଲୀର ଶ୍ରଦ୍ଧା ୱାକର । ୨୦୨୪ରେ ବେଙ୍ଗାଲୁରୁର ମହାଲକ୍ଷ୍ମୀ । ସୀମା ଡେଉଁଛି ସୈତାନଙ୍କ ଅପରାଧ । ଲୋମଟାଙ୍କୁରା କାଣ୍ଡ, ଦୋହଲି ଯାଉଛି ଦେଶ । ହତ୍ୟାର ନୂଆ ତରିକା କେଉଁଠୁ ଶିଖୁଛନ୍ତି ଅପରାଧୀ ?
ବେଙ୍ଗାଲୁରୁର ଭୟଙ୍କର ହତ୍ୟାକାଣ୍ଡର ଭଦ୍ରକ ଲିଙ୍କ୍ ପରେ ସାମ୍ନାକୁ ଆସିଛି ଆଉ ଜଣେ ସୈତାନୀ ଚରିତ୍ରର ଜହ୍ଲାଦ ରୂପ । ଯିଏ ଜଣେ ମହିଳାଙ୍କୁ ହତ୍ୟା କରି ଖଣ୍ଡେ କି ଦୁଇ ଖଣ୍ଡ ନୁହେଁ ବରଂ ୫୯ ଖଣ୍ଡ କରିଛି... ହଁ ଆଜ୍ଞା ! ୫୯ ଖଣ୍ଡ... ଯାହା ପରେ ସେହି ମୃତଦେହକୁ ଫ୍ରିଜରେ ରଖିଥିଲା । ହତ୍ୟାର ୧୯ ଦିନ ଯାଏଁ ଫ୍ରିଜ ଭିତରେ ଥିଲା ମହାଲକ୍ଷ୍ମୀଙ୍କ ଖଣ୍ଡ ଖଣ୍ଡ ମୃତଦେହ । ଆଉ ୧୯ ଦିନ ପରେ ଯେତେବେଳେ ବୀଭତ୍ସ ହତ୍ୟାର ଅପରାଧୀ ଓଡିଶାର ଭଦ୍ରକ ଧୁଷୁରୀରୁ ମିଳିଲା ସେତେବେଳକୁ ଅଭିଯୁକ୍ତ କିନ୍ତୁ ଜୀବନ ହାରି ସାରିଥିଲା । ବେଙ୍ଗାଲୁରୁ ଘଟଣା ସାରା ଦେଶରେ ହଇଚଇ ହେବା ପରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ମୁକ୍ତିରଞ୍ଜନ ରାୟ ।
ତେବେ ମୁକ୍ତିରଞ୍ଜନ ଓ ମହାଲକ୍ଷ୍ମୀ ଏକ ଲୁଗା ଦୋକାନକେ କାମ କରୁଥିଲେ । ଦୁହିଁଙ୍କ ପ୍ରଥମ ଦେଖା ପରେ ବନ୍ଧୁତା ଏବଂ ପରେ ନିବିଡ ସମ୍ପର୍କରେ ବାନ୍ଧି ହୋଇଥିଲେ । ମହାଲକ୍ଷ୍ମୀ ମୁକ୍ତିରଞ୍ଜନଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ । ଯାହାକୁ ନେଇ ଦୁହଁଙ୍କ ଭିତରେ ସବୁବେଳେ ଝଗଡା ଲାଗି ରହୁଥିଲା । ଆଉ ଝଗଡା ଅଧିକ ହେବାରୁ ରାଗିଯାଇ ମୁକ୍ତି ମହାଲକ୍ଷ୍ମୀଙ୍କୁ ମାରିଦେଇଥିଲା । ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ୫୯ଟି ଖଣ୍ଡ ଫ୍ରିଜରେ ଭରି ଓଡିଶା ଫେରି ଆସିଥିଲା ।
ସେପଟେ ମହାଲକ୍ଷ୍ମୀଙ୍କ ବୀଭତ୍ସ ହତ୍ୟା ୨୦୨୨ର ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟା କଥା ପୁଣି ଥରେ ମନେପକାଇ ଦେଇଛି । ୨୦୨୨ର ସେ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା । ଯେଉଁଠି ନିଜ ପ୍ରେମିକ, ପ୍ରେମିକାକୁ ୩୫ ଖଣ୍ଡ କରି ଫ୍ରିଜରେ ଭରିଥିଲା । ଅଭିଯୁକ୍ତ ଆଫତାଭ ଏବଂ ଶ୍ରଦ୍ଧା ଲିଭ ଇନରେ ରହୁଥିବା ବେଳେ ତ୍ରିକୋଣୀୟ ପ୍ରେମ ସମ୍ପର୍କର ସନ୍ଦେହ ପାଇଁ ଆଫତାଭ ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କାଟି ପ୍ରାୟ ମାସେ ଯାଏଁ ଫ୍ରିଜରେ ରଖିଥିଲା ଏବଂ ସବୁଦିନ ରାତି ୨ଟାରେ ନିକଟସ୍ଥ ଜଙ୍ଗଲରେ ଫିଙ୍ଗୁଥିଲା ।
ତେବେ ଦିଲ୍ଲୀର ଶ୍ରଦ୍ଧା ହୁଅନ୍ତୁ କି ବାଙ୍ଗଲୁରର ମହାଲକ୍ଷ୍ମୀଙ୍କ ନିର୍ମମ ହତ୍ୟା ଲୋକଙ୍କ ଭିତରେ ଏକ ଆତଙ୍କ ଖେଳାଇ ଦେଇଛି । ରକ୍ତମାସଂର ମଣିଷ ଆଉ ଜଣେ ମଣିଷକୁ ହତ୍ୟା ପାଇଁ ଏତେ ବୁଦ୍ଧି କେଉଁଠୁ ପାଉଛି ? ଏତେ ସାହସ କେଉଁଠୁ ଆସୁଛି? ଆଉ ନୂଆ ତରିକାରେ ହତ୍ୟା ପାଇଁ ଏତେ କୌଶଳ କେଉଁଠୁ ଶିଖୁଛି ? ତାହା ବିରାଟ ପ୍ରଶ୍ନ ହୋଇ ଛିଡା ହୋଇଥିବା ବେଳେ କିଛି କିଛି ସିନେମା ଏବଂ ୱେବସିରିଜକୁ ଦାୟୀ କରୁଛନ୍ତି । ନିକଟରେ ରିଲିଜ ହୋଇଥିବା ସିନେମା ସେକ୍ଟର-୩୬ରେ ଅଭିଯୁକ୍ତ କେମିତି ପିଲା ଓ ଯୁବତୀଙ୍କୁ ହତ୍ୟା କରି ବାଥରୁମରେ ଖଣ୍ଡ ଖଣ୍ଡ କରି ଡ୍ରେନରେ ଫିଙ୍ଗୁଛି ତାହା ଦେଖିବାକୁ ମିଳିଥିଲା । ବୋଧହୁଏ ଅଭିଯୁକ୍ତମାନେ ଏସବୁରୁ କୌଶଳ ଶିଖି ଏପରି ଭୟାନକ ଅପରାଧ ଘଟାଉଛନ୍ତି ବୋଲି ଅନୁମାନ କରାଯାଉଛି ।