ପବିତ୍ରଭୂମି ପ୍ରୟାଗରାଜରେ ଆସ୍ଥାର ବୁଡ଼ ପକାଇବା ପାଇଁ ଦେଶ ତଥା ବିଦେଶର ବିଭିନ୍ନ କୋଣରୁ ଶ୍ରଦ୍ଧାଳୁ ମହାକୁମ୍ଭକୁ ଛୁଟି ଆସୁଛନ୍ତି । ବସ୍ ,କାର୍ , ଟ୍ରେନ୍ ,ପ୍ଲେନ୍ ଆଦି ବିଭିନ୍ନ ସାଧନରେ ବସି ମହାକୁମ୍ଭରେ ପହଁଞ୍ଚୁଛନ୍ତି ଶ୍ରଦ୍ଧାଳୁ । କିନ୍ତୁ ମୁଣ୍ଡବ୍ୟଥାର କାରଣ ପାଲଟୁଛି ଟ୍ରାଫିକ୍ ବ୍ୟବସ୍ଥା । ପ୍ରବଳ ଟ୍ରାଫିକ୍ ଜାମ୍ ଭିତରେ ଯେମିତି ପ୍ରୟାଗରାଜର ନିଶ୍ବାସ ଅଟକି ଯାଉଛି । ଏପଟେ ପ୍ଲେନରେ ସ୍ବାଭାବିକ ଠାରୁ ଦୁଇଗୁଣ ଅଧିକ ଦାମରେ ଟିକେଟ୍ , ସେପଟେ ଟ୍ରେନରେ ମଧ୍ୟ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଉଛି । ବସ୍ ଏବଂ କାରରେ ବସି ସଙ୍ଗମ ନଗରୀରେ ପହଁଞ୍ଚିଲେ ଦାଉ ସାଧୁଛି ଟ୍ରାଫିକ୍ ବ୍ୟବସ୍ଥା । ଯେହେତୁ ୧୪୪ ବର୍ଷ ପରେ ମହାକୁମ୍ଭ ଭଳି ଯୋଗର ଘଡ଼ି ଆସିଛି କେହି ମଧ୍ୟ ସଙ୍ଗମରେ ବୁଡ଼ ପକାଇବାରୁ ବଂଚିତ ହେବାକୁ ଚାହୁଁନାହାନ୍ତି । ତେଣୁ ଯେଣତେଣ କରି ଶ୍ରଦ୍ଧାଳୁ ପ୍ରୟାଗରାଜରେ ଭିଡ଼ ଜମାଉଛନ୍ତି । ଏଭଳି ସ୍ଥିତିରେ ବିହାର ଏବଂ ଉତ୍ତରପ୍ରଦେଶର ୭ ଜଣ ସାଙ୍ଗ ଟ୍ରାଫିକ୍ ଜାମରୁ ବଞ୍ଚିବା ପାଇଁ ନିଆରା ଯୋଗାଡ଼ ଲଗାଇଛନ୍ତି । 

Advertisment
Friend1
Friend1 Photograph: (google)

୭ ଜଣ ସାଙ୍ଗ ମୋଟରବୋଟ୍ ମାଧ୍ୟମରେ ଜଳପଥରେ ୫୫୦ କି.ମି ବାଟ ବୋଟ୍ ଚଲାଇ ଆସି ମହାକୁମ୍ଭରେ ପହଁଞ୍ଚିଲେ । ପବିତ୍ର ସଙ୍ଗମ ସ୍ଥଳରେ ବୁଡ଼ ପକାଇ ସେହି ବୋଟ୍ ରେ ଜଳମାର୍ଗରେ ପୁଣି ବିହାରର ନିଜ ଗାଁକୁ ଫେରିଆସିଲେ । ଏନେଇ ଯେତେବେଳେ ଉକ୍ତ ଶ୍ରଦ୍ଧାଳୁମାନଙ୍କୁ ପଚରାଗଲା ସେମାନେ କହିଲେ ,‘ଟ୍ରେନର ସିଟ୍ ଫୁଲ୍ ଥିଲା । ଏମିତିକି ଟ୍ରେନରେ ସୋରିଷ ପକାଇବାକୁ ବି ଜାଗା ନଥିଲା । ଲୋକ ଗୋଦାମରେ ସାମଗ୍ରୀ ରଖିଲା ଭଳି ଟ୍ରେନରେ ମହାକୁମ୍ଭ ପହଁଞ୍ଚୁଛନ୍ତି ।

Friend in mahakumbh 1
Friend in mahakumbh 1 Photograph: (google)

ସେତିକିରେ ବି ଲୋକଙ୍କ କଷ୍ଟ ଲାଘବ ହେଉନି , ପ୍ରୟାଗରାଜରେ ପହଁଞ୍ଚି ସଙ୍ଗମସ୍ଥଳ ଆସିବା ପାଇଁ ମହାଜାମର ସାମ୍ନା କରୁଛନ୍ତି ଶ୍ରଦ୍ଧାଳୁ । ୫ ରୁ ୬ ଘଣ୍ଟା ଧରି ରୋଡ୍ ଆରେଷ୍ଟ୍ ହେଲା ଭଳି କଷ୍ଟ ସହୁଛନ୍ତି ଲୋକ । ଏଭଳି ସ୍ଥିତିରେ ଅନ୍ୟ କୌଣସି ମାର୍ଗରୁ ମହାକୁମ୍ଭରେ ପହଁଞ୍ଚିବା ଆମ ପାଇଁ କଷ୍ଟକର ଥିଲା । ତେଣୁ ଟ୍ରାଫିକରୁ ବଞ୍ଚିବା ପାଇଁ ଆମେ ଜଳପଥକୁ ସର୍ବୋକୃଷ୍ଟ ଭାବିଲୁ ଏବଂ ବୋଟରେ ମହାକୁମ୍ଭ ଚାଲିଆସିଲୁ ।’ 

Friend in mahakumbh
Friend in mahakumbh Photograph: (google)

ମୋଟର ବୋଟ୍ ଉପରେ ଗ୍ୟାସ୍ ସିଲିଣ୍ଡର , ଚୁଲ୍ହା ସମେତ ଖାଦ୍ୟପେୟର ବ୍ୟବସ୍ଥା କରି ଆସିଥିଲେ ଏହି ୭ ସାଙ୍ଗ । ୨ ଜଣ ବୋଟ୍ ଚଲାଉଥିବା ବେଳେ ଆଉ ୫ ଜଣ ବିଶ୍ରାମ କରୁଥିଲେ । ପାଖାପାଖି ୮୪ ଘଣ୍ଟା ପରେ ବକ୍ସରରୁ ପ୍ରୟାଗରାଜ ୫୫୦ କି.ମି ଯାତ୍ରା କରି ସଙ୍ଗମ ନଗରୀ ପହଁଞ୍ଚିଥିଲେ ଏହି ଶ୍ରଦ୍ଧାଳୁ ।