କନକ ବ୍ୟୁରୋ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେବାକୁ ଯାଉଛି ମହାକୁମ୍ଭ ମେଳା । ମେଳାରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ନିମନ୍ତ୍ରଣ କରିଛି ଉତ୍ତର ପ୍ରଦେଶ ସରକାର। ଏହାସହ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦଙ୍କୁ ନିମନ୍ତ୍ରଣ ଦେବାକୁ ଓଡିଶା ଆସିଛନ୍ତି ଉତ୍ତରପ୍ରଦେଶ ସରକାରର ଦୁଇ ମନ୍ତ୍ରୀ । ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରୟାଗରାଜ ମହାକୁମ୍ଭରେ ୪୩ କୋଟିରୁ ଅଧିକ ତୀର୍ଥ ଯାତ୍ରୀ, ସାଧୁସନ୍ଥ, ତପସ୍ୱୀ ଓ ପର୍ଯ୍ୟଟକଙ୍କ ସମାଗମ ହେବ ବୋଲି ଆଶା ରଖିଛି ୟୁପି ସରକାର। ଦିବ୍ୟ, ବିଶାଳ ଓ ଡିଜିଟାଲ କ୍ଷେତ୍ରରେ ଉନ୍ନତ ମହାକୁମ୍ଭର ଆୟୋଜନ କରିବା ପାଇଁ ଯୋଜନା କରିଛନ୍ତି ୟୁପି ସରକାର। ବୁଡ ପକାଇବା ପାଇଁ ୪୪ଟି ଘାଟର ବ୍ୟବସ୍ଥା କରିଛି ପ୍ରଶାସନ। ସାଧୁସନ୍ଥ ଓ ତୀର୍ଥଯାତ୍ରୀ ନଦୀରେ ବୁଡ ପକାଉଥିବା ସମୟରେ ଆକାଶମାର୍ଗରୁ ଫୁଲ ବର୍ଷା କରାଯିବ ବୋଲି ୟୁପିର ଶ୍ରମ ଓ ରୋଜଗାର ମନ୍ତ୍ରୀ ସୂଚନା ଦେଇଛନ୍ତି। ତୀର୍ଥଯାତ୍ରୀ, ସାଧୁ ସନ୍ଥ ଓ ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ସ୍ବାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି। ମହାକୁମ୍ଭ ମେଳା ସମୟରେ ସ୍ଥାନୀୟ ଅଞ୍ଚଳରେ ୧୦ ଲକ୍ଷ ଗଛ ଲଗାଇବାକୁ ଯୋଜନା ରଖିଛି ସରକାର। ମେଳାରେ ସାମିଲ ହେବା ପାଇଁ ବିଦେଶର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବି ନିମନ୍ତ୍ରଣ କରାଯାଇଛି।