କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନର ଭୋଟକୁ ଆଉ ମାତ୍ର କିଛି ଦିନ ବାକି । ତେବେ ଏହା ପୂର୍ବରୁ ଆସିଥିବା ସର୍ଭେ ରିପୋର୍ଟ ମହାମେଣ୍ଟ ପାଇଁ ନିରାଶାଜନକ ରହିଛି । ଅନ୍ୟପଟେ ଏନଡିଏ ଏଥର ବିହାରରେ ପୁଣିଥରେ ସଫଳତା ପାଇପାରେ ବୋଲି ସର୍ଭେ କହୁଛି । ଖାସ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ସହିତ ନୀତୀଶଙ୍କ ଅନୁଭବକୁ ଲୋକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ତେବେ ଏହା ପଛର କାରଣ ହେଉଛି, ବିରୋଧୀ କ୍ୟାମ୍ପରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଅଙ୍କ ନ ଛିଣ୍ଡିବା । ଏହି କାରଣରୁ ଅନେକ ସର୍ଭେ ରିପୋର୍ଟ ଏବେ ନିର୍ବାଚନ ଫଳାଫଳ ମହାମେଣ୍ଟ ବିପକ୍ଷରେ ଯାଉଥିବା ନେଇ ଅନୁମାନ କରିଛନ୍ତି ।
ବିହାର ରାଜନୀତିରେ ଚେହେରା ସବୁବେଳେ ନିର୍ଣ୍ଣାୟକ ଭୂମିକା ନେଇଥାଏ । ଏଥର ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରଶାସନିକ କାମର ସମୀକରଣ ବିରୋଧୀ କ୍ୟାମ୍ପ ଉପରେ ଭାରି ପଡ଼ୁଥିବା ଦେଖିବାକୁ ମିଳିଛି । ଅନେକ ସର୍ଭେରେ ମିଳୁଥିବା ମତ ମୁତାବକ, ଭୋଟ୍ ଯେତେ ଯେତେ ପାଖୋଉଛି ନୀତୀଶଙ୍କ ପ୍ରତି ସମର୍ଥନ ସେତେ ବଢ଼ିବାରେ ଲାଗିଛି । ଯେହେତୁ ମହାମେଣ୍ଟ ଏବେ ସୁଦ୍ଧା କାହା ନେତୃତ୍ୱରେ ଲଢ଼ିବ, ସେନେଇ ଧାର୍ଯ୍ୟ କରିପାରୁନି ତେଣୁ ଲୋକମାନେ ଏପରି ସ୍ଥିତିରେ ନୀତୀଶ-ମୋଦୀଙ୍କ ଉପରେ ଭରସା କରୁଥିବା କୁହାଯାଉଛି ।
ଘୋଷଣା ନ ହେଲେ ବି ମହାମେଣ୍ଟରେ ତେଜସ୍ୱୀ ହେଉଛନ୍ତି ମୁଖ୍ୟ ଚେହେରା । ତେଜସ୍ୱୀ ଏନେଇ ନିଜେ ଅନେକ ଥର କହିଥିଲେ ବି, ମେଣ୍ଟ ତରଫରୁ କିନ୍ତୁ କୌଣସି ପ୍ରକାର ଘୋଷଣା ହୋଇନି । ଖାସ୍ କରି ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବା ନେଇ କଂଗ୍ରେସର କେଁ ଥିବା କୁହାଯାଉଛି । ତେଣୁ ଏହି କନଫ୍ୟୁଜନର ଫାଇଦା ନେଇ ଏନଡିଏ ନିଜ ସପକ୍ଷରେ ଭୋଟ୍ ଯୋଗାଡ଼ୁଥିବା ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି ।
ଏଥର ବିହାରରେ ପ୍ରଶାନ୍ତ କିଶୋରଙ୍କ ଜନସୂରାଜ ପାର୍ଟି ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ଖାସ୍ କରି ଲୋକଙ୍କୁ ଏହି ଦଳ ଆଉ ପ୍ରଶାନ୍ତ କିଶୋର ଏକ ନୂଆ ବିକଳ୍ପ ଦେଇଛନ୍ତି । ହେଲେ ପ୍ରଶାନ୍ତ କିଶୋର କିନ୍ତୁ କେଉଁଠି ନା କେଉଁଠି ମହାମେଣ୍ଟର ଭୋଟ୍ ବ୍ୟାଙ୍କ୍ ଉପରେ ପ୍ରଭାବ ପକାଇବେ ବୋଲି କୁହାଯାଉଛି । ଖାସ୍ କରି ସହରୀ ଏବଂ ଶିକ୍ଷିତ ମତଦାତାଙ୍କ ଉପରେ ପିକେଙ୍କ କ୍ରେଜ୍ ଥିବା ଦେଖିବାକୁ ମିଳିଛି । ଯାହାକି ପୂର୍ବରୁ ତେଜସ୍ୱୀଙ୍କ ସପକ୍ଷରେ ଯାଉଥିଲା । ଏହାସହିତ ଓ୍ୱୈବେସୀ ମଧ୍ୟ ବିହାରରେ ନିଜର କାର୍ଡ ଖୋଲିବା ସହିତ ସୀମାଞ୍ଚଳକୁ ଟାର୍ଗେଟ୍ କରିଛନ୍ତି । ଏହି ଅଞ୍ଚଳରେ ମୁସଲିମ୍ ଭୋଟରଙ୍କ ସଂଖ୍ୟା ଅଧିକ ଥିବା କାରଣରୁ ସେ ଏହି ସ୍ଥାନରେ ନିଜର ପ୍ରାର୍ଥୀ ଦେବାକୁ ରଣନୀତି କଷୁଛନ୍ତି । ଏହାର ପ୍ରଭାବ କିନ୍ତୁ ସିଧା ସିଧା ମହାମେଣ୍ଟ ଉପରେ ପଡ଼ିବ । କାହିଁକି ନା ଅଧିକାଂଶ ସଂଖ୍ୟାଲଘୁ ଭୋଟ୍ ପୂର୍ବରୁ ଆରଜେଡି ଏବଂ କଂଗ୍ରେସକୁ ଯାଉଥିଲା । ହେଲେ ଏବେ କିନ୍ତୁ ଏହା ଭାଗ ଭାଗ ହେବା ନେଇ ଆଶଙ୍କା ଦେଖାଦେଇଛି ।