କନକ ବ୍ୟୁରୋ : ଟିଭି ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଆରପାରିକୁ ଚାଲିଗଲେ ଲୋକପ୍ରିୟ ଅଭିନେତା ପଙ୍କଜ ଧୀର୍ , ଆଜି ତାଙ୍କର ଦେହାନ୍ତ ହୋଇଛି । ସେ ବି.ଆର. ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ଘନିଷ୍ଠ ବନ୍ଧୁ ଅମିତ ବହଲ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ ଏହି ଖବରକୁ ନିଶ୍ଚିତ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା। ସେ କିଛି ବର୍ଷ ହେଲାଣି କର୍କଟ ରୋଗରେ ପୀଡ଼ିତ ଥିଲେ ବୋଲି ଜଣାଯାଇଛି ।

Advertisment

ସୂଚନା ମୁତାବକ, ପଙ୍କଜଙ୍କୁ କର୍କଟ ରୋଗ ହୋଇଥିଲା ଏବଂ ଏହି ରୋଗ ସହ ଲଢ଼ି ବିଜୟୀ ହୋଇଥିଲେ । କିନ୍ତୁ ଗତ କିଛି ମାସ ମଧ୍ୟରେ ତାଙ୍କର କର୍କଟ ରୋଗ ପୁଣି ଥରେ ଫେରି ଆସିବାରୁ ଅଭିନେତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଅସୁସ୍ଥତା ଯୋଗୁଁ ତାଙ୍କର ଏକ ବଡ଼ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା । ସବୁ ପରେ ବି ପଙ୍କଜଙ୍କୁ ବଞ୍ଚା ଯାଇପାରିଲା ନାହିଁ । ସୋସିଆଲ ମିଡିଆରେ ପଙ୍କଜଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା  ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟ୍‌କା ଲାଗିଛି । ପ୍ରଶଂସକ ଏବଂ ସେଲିବ୍ରିଟିମାନେ ଏବେ ପଙ୍କଜଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଛନ୍ତି ।

ପଙ୍କଜ ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ବଡ଼ ବଡ଼ ପ୍ରୋଜେକ୍ଟରେ କାମ କରିଥିଲେ । କିନ୍ତୁ ତାଙ୍କୁ ୧୯୮୮ ମସିହାରେ ମୁକ୍ତିଲାଭ କରିଥିବା ବି.ଆର. ଚୋପ୍ରାଙ୍କ 'ମହାଭାରତ'ରୁ ପ୍ରସିଦ୍ଧି ମିଳିଥିଲା । ଏହି ଧାରାବାହିକରେ ଅଭିନେତା କର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଟିଭି ସୋ’ ବ୍ୟତୀତ ପଙ୍କଜ ଫିଲ୍ମରେ ମଧ୍ୟ କାମ କରିଥିଲେ । ସେ ଅନେକ ପୌରାଣିକ ସୋ’ର ନଜର ଆସିଥିବା ଦେଖାଯାଇଥିଲା। ଏଥିରେ 'ଚନ୍ଦ୍ରକାନ୍ତା', 'ଦି ଗ୍ରେଟ୍ ମରାଠା' ଭଳି ସୋ’ ଅନ୍ତର୍ଭୁକ୍ତ । ସେ 'ସୋଲଜର', 'ବାଦଶାହା', 'ସଡକ' ଭଳି ହିନ୍ଦୀ ଫିଲ୍ମରେ ଉତ୍କୃଷ୍ଟ କାମ କରିଥିଲେ ।