କନକ ବ୍ୟୁରୋ: ଚିକିଟି ମଦମୃତ୍ୟୁ ପ୍ରସଙ୍ଗ ୪ ଦିନ ହେଲା ବିଧାନସଭାକୁ ଅଚଳ କରି ରଖିଛି। ଆଉ ଆଜି ଗୃହ ଭିତରେ ସବୁଠୁ ବଡ଼ ଡ୍ରାମା ଦେଖିବାକୁ ମିଳିଛି । ବିରୋଧୀ ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢିବା ପାଇଁ ଚେଷ୍ଟା କରିଛନ୍ତି। ତେଣୁ ଏପଟେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି, ସେପଟେ ଗୃହରେ ତାଙ୍କ ବିବୃତିକୁ ନେଇ ହୁଲୁସ୍ତୁଲ ହୋଇଛି ବିଧାନସଭା।  

Advertisment
  • ମଦ ପାଇଁ ମହାଭାରତ
  • ପୋଡିୟମକୁ ଚଢ଼ିଲେ ବିଜେଡି ବିଧାୟକ

ଚାରିଦିନ ହେଲା ମଦ ମୃତ୍ୟୁକୁ ନେଇ ବିଜେଡି ଗୃହରେ ହଙ୍ଗାମା ଚଳାଇଥିବାବେଳେ, ଆଜି ଉଗ୍ର ରୂପ ନେଇଛି। ମଦ ମୃତ୍ୟୁ ପାଇଁ ବିଧାନସଭାରେ ହୋଇଛି ମହାଭାରତ। ବିଜେପି ସରକାରକୁ ଦାୟୀ କରି ବିଜେଡି ବିଧାୟକମାନେ ବାଚସ୍ପତିଙ୍କ ମାଇକ ଟାଣି ହୋ ହଲ୍ଲା କରିଛନ୍ତି। 

ଆଜି ବାଚସ୍ପତି ସୁରମା ପାଢ଼ି ନିଜ ଆସନରେ ବସିଥିଲେ ଆଉ ଗୃହରେ ମନ୍ତ୍ରୀ ଉତ୍ତର ରଖୁଥିଲେ । ଏତିକିବେଳେ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ମାଧବ ଧଡ଼ା ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ । ଆଉ ବିରୋଧୀ ଦଳର ଅନ୍ୟ ବିଧାୟକମାନେ ତଳେ ନାରାବାଜି କରିଥିଲେ। ଏହି ସମୟରେ ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ ବିଧାୟକ । ତେବେ ବିରୋଧୀଙ୍କ ଏଭଳି ଆଚରଣକୁ ଜୋରଦାର ବିରୋଧ କରିଛି ଶାସକ ଦଳ।

ଖାଲି ପ୍ରଶ୍ନକାଳ ନୁହେଁ, ଶୂନ୍ୟକାଳ ଏବଂ ମୂଲତବୀ ପ୍ରସ୍ତାବ ଆଲୋଚନା ସମୟରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ବିଜେପି ଗୃହ ଚଳାଇ ଦେଉନଥିବା ବିଜେଡି କହି ଆସୁଥିବେଳେ ଏବେ ପ୍ରଶ୍ନ କାଳରେ ଏବେ ସେହି ଭୂମିକାକୁ ଆସିଛି। ଚାରି ଦିନ ହେଲା ବିଜେଡି ସଦସ୍ୟମାନେ ଗୋଟିଏ ପ୍ରସଙ୍ଗରେ ହଟ୍ଟଗୋଳ କରୁଛନ୍ତି। କିନ୍ତୁ ଏହାରି ଭିତରେ ବିଧାନସଭାରେ ଚିକିଟି ମଦ ମୃତ୍ୟୁ ସମ୍ପର୍କରେ ବିବୃତି ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ଅବକାରୀ ମନ୍ତ୍ରୀଙ୍କ ଉତ୍ତର .. 

  • ଚିକିଟି ମଦ ମୃତ୍ୟୁକୁ ନେଇ ସରକାର କୌଣସି ତଥ୍ୟ ଲୁଚାଇ ନାହାନ୍ତି
  • ୪ଜଣ ଆଇସିୟୁ, ୨ଜଣ ଭେଣ୍ଟିଲେଟର, ୭ଜଣ ୱାର୍ଡରେ ଚିକିତ୍ସତ ହେଉଛନ୍ତି
  • ଅବକାରୀ ବିଭାଗ ଚଢ଼ାଉ କରି ୨୦ଲିଟର ମଦ ଜବତ ସହ ୬ଜଣଙ୍କୁ ଗିରଫ କରାଯାଇଛି
  • ଜବତ ହୋଇଥିବା ମଦ ସାମ୍ପୁଲ, ମୃତକଙ୍କ ଭିସେରା ରିପୋର୍ଟ ଲ୍ୟାବକୁ ପଠାଯାଇଛି
  • ନକଲି ମଦ ନେଇ ୩୭୬ଟି ବେଆଇନ ମଦ ମାମଲା ରୁଜୁ ହୋଇଛି

ବିଷାକ୍ତ ମଦକୁ ନେଇ ଭୁବନେଶ୍ୱରରୁ ଗଞ୍ଜାମ କମ୍ପୁଥିବାବେଳେ, ଏଥିପାଇଁ ଦାୟୀ କିଏ, ୨୪ ବର୍ଷର ବିଜେଡି ସରକାର ନା ଅଢ଼େଇ ମାସର ବିଜେପି ସରକାର? ତାକୁ ନେଇ ପ୍ରଶ୍ନ ଉଠିଛି।