Mahalaya Photograph: (KanakNews)
କନକ ବ୍ୟୁରୋ : ଆଜି ପବିତ୍ର ମହାଳୟା ଅମାବାସ୍ୟା, ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ବଡ଼ ସମାଗମ । ପିତୃପକ୍ଷର ଶେଷ ଦିନରେ ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଚାଲିଛି ପିଣ୍ଡଦାନ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଇନ୍ଦୁ ପୂର୍ଣ୍ଣିମା ଠାରୁ ପିତୃପକ୍ଷ ପର୍ଯ୍ୟନ୍ତ ନାଭିଗୟା ଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ଦୈନିକ ଶହ ଶହ ଶ୍ରଦ୍ଧାଳୁ ପିଣ୍ଡଦାନ କରୁଥିବା ବେଳେ ଆଜି ହେଉଛି ଶେଷଦିନ । ସକାଳୁ ସକାଳୁ ପିଣ୍ଡଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ଯାଏ ଚାଲିବ। ସେପଟେ ଆସନ୍ତାକାଲି ମା’ଙ୍କ ରଥ ପ୍ରତିଷ୍ଠା ହୋଇ ୯ଦିନ ଧରି ବେଢ଼ା ପରିକ୍ରମା କରିବ ।
ସେପଟେ ପବିତ୍ର ମହାଳୟା ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ । ବର୍ଷକରେ ଥରେ ଏହି ଦୁର୍ଲଭ ବେଶରେ ମା’ଙ୍କୁ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି । ମଙ୍ଗଳ ଆଳତୀ ପରେ ପ୍ରାତଃ ୫ଟାରୁ ଦର୍ଶନ ଆରମ୍ଭ ହୋଇଛି । ଦିନରେ ୧୧ଟା ୪୫ ମିନିଟରୁ ୧୨ଟା ୩୦ ଏବଂ ସନ୍ଧ୍ୟା ୭ଟା ୪୫ରୁ ୮.୩୦ ଯାଏ ମହାଆଳତୀ ପାଇଁ ମା’ଙ୍କ ଦର୍ଶନ ବନ୍ଦ ରହିବ। ରାତି ପ୍ରାୟ ୧୦ଟା ୩୦ରେ ମା’ଙ୍କ ପହଡ଼ ନୀତି ଅନୁଷ୍ଠିତ ହେବ । ନବରାତ୍ରର ପ୍ରଥମ ଦିନରେ ସରସ୍ବତୀ ବେଶରେ ଦର୍ଶନ ଦେବେ ମାଆ ସମଲେଇ । ମା’ଙ୍କ ପୀଠରେ ନବରାତ୍ର ଅବସରରେ ଜଳିବ ୫ ହଜାର ଦୀପ ।
ସେପଟେ ଶ୍ରୀକ୍ଷେତ୍ର ପୁରୀରେ ମହାଳୟାର ମାହୋଲ । ମହୋଦଧି ସହ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ଶ୍ରୀମନ୍ଦିରର ଉତ୍ତରଦ୍ବାରରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ବିଧି ପରମ୍ପରା ଅନୁଯାୟୀ ମହାଳୟା ତିଥିରେ ଅଟାଗୁଳାର ପିଣ୍ଡ ତିଆରି କରି ଦାନ କରିବା ସହିତ ବ୍ରାହ୍ମଣଙ୍କୁ ମହାପ୍ରସାଦ ଭୋଜନ ମଧ୍ୟ କରାଇଲେ ପିତୃପୁରୁଷ ମୋକ୍ଷ ପାଇଥାନ୍ତି ବୋଲି ବିଶ୍ୱାସ ରହିଛି । ଅନ୍ୟପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଜିଠାରୁ ଆରମ୍ଭ ହୋଇଛି ନବଦିନବ୍ୟାପି ଶାକ୍ତ ଗୁଣ୍ଡିଚା ବା ଗୁପ୍ତଗୁଣ୍ଡିଚା ଯାତ୍ରା । ଶାରଦୀୟ ଦୁର୍ଗାପୁଜା ଅବସରରେ ପ୍ରଭୂ ମାଧବ ଦେବୀ ଦୁର୍ଗାଙ୍କୁ ସାଙ୍ଗରେ ନେଇ ଗୁପ୍ତରେ ଗୁଣ୍ଡିଚା ଯାତ୍ରା କରିଥା’ନ୍ତି । ମହାଳୟା ଅବସରରେ ପୁରୀରେ ଭକ୍ତଙ୍କ ଭିଡ଼ ଜମିଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।
Follow Us