ପବିତ୍ର ଭୂମି ପ୍ରୟାଗରାଜରେ ବଡ଼ ଆଡମ୍ବରରେ ଚାଲିଛି ମହାକୁମ୍ଭ । ଏହାରି ଭିତରେ ରବିବାର ପ୍ରୟାଗରାଜର ସେକ୍ଟର-୧୯ ଅଖିଳ ଭାରତୀୟ ଧର୍ମ ସଂଘ ଗୀତା ପ୍ରେସ୍ ଗୋରଖପୁର କ୍ୟାମ୍ପରେ ଲାଗିଲା ନିଆଁ । ନିଆଁ ଏତେ ଭୟାବହ ହେଲା ଯେ କ୍ୟାମ୍ପରୁ ଚାରିଆଡ଼େ ଖେଳିହୋଇଗଲା । ଅଗ୍ନିକାଣ୍ଡ ହେବା ଫଳରେ ଟେଣ୍ଟ୍ ରେ ଥିବା ଅନେକ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଗଲା ।
ତେବେ ନିଆଁ କେଉଁ କାରଣରୁ ଲାଗିଲା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଆଖପାଖରେ ବସବାସ କରୁଥିବା ସାଧୁଙ୍କ ମତରେ ପ୍ରଥମେ ଗୋଟିଏ ସିଲିଣ୍ଡରରେ ନିଆଁ ଲାଗିଲା ପରେ ଏଥିରୁ ଗୋଟିଏ ପରେ ଗୋଟିଏ ଶିବିରକୁ ନିଆଁ ଲାଗି ଲାଗି ଚାଲିଲା । ନିଆଁ ଏତେ ବିକଟାଳ ରୂପ ନେଲା ଯେ ଟେଣ୍ଟ୍ ରେ ରହିଥିବା ସିଲିଣ୍ଡର ଫାଟିବାକୁ ଲାଗିଲା । ପାଖାପାଖି ୮ ରୁ ୧୦ ଟି ସିଲିଣ୍ଡର ଫାଟିଥିବାର ସୂଚନା ମିଳୁଛି । ତେବେ ଅଗ୍ନିଶମ ବିଭାଗର ଟିମ୍ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି ।
ମହାକୁମ୍ଭର ଏହି ଅଗ୍ନିକାଣ୍ଡରେ ୧୫ ରୁ ୧୮ ଟି ଟେଣ୍ଟ୍ ଜଳିପୋଡ଼ି ପାଉଁଶ ହୋଇଯାଇଥିବାର ସୂଚନା ମିଳୁଛି । ତେବେ ଏନେଇ ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ୍ ରବିନ୍ଦ୍ର କୁମାର ପ୍ରତିକ୍ରିୟା ରଖି କହିଛନ୍ତି ଯେ , ସଂନ୍ଧ୍ୟା ୪.୩୦ ସମୟରେ ନିଆଁ ଲାଗିଥିଲା ଯେଉଁଥିରେ କୌଣସି ବ୍ୟକ୍ତିବିଶେଷ ମୃତାହତ ହେବାର ସୂଚନା ନାହିଁ । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରହିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣା ଉପରେ ବିଶେଷ ଧ୍ୟାନ ଦେଉଥିବାର ସୂଚନା ମିଳିଛି ।
ମହାକୁମ୍ଭ ମେଳାରେ ଘଟିଥିବା ଏହି ଅଘଟଣ ପରେ ସମାଜବାଦୀ ପାର୍ଟି ଏବଂ ଅଖିଳେଶ୍ ଯାଦବ ଯୋଗୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ବିରୋଧୀ କହିଛନ୍ତି , ସପା ନେତା କହିଛନ୍ତି ଯେ ଆମେ ମୂଳରୁ ହିଁ କୁମ୍ଭରେ ହେଉଥିବା ଆୟୋଜନ ଉପରେ ପ୍ରଶ୍ନ ଉଠାଇଆସିଛୁ । ଯେଉଁ ଶ୍ରଦ୍ଧାଳୁ ମହାକୁମ୍ଭ ପହଂଚୁଛନ୍ତି ସେମାନେ ଖୋଲା ଆକାଶ ତଳେ ରହୁଛନ୍ତି ଏବଂ ପିଇବା ପାଣିର ମଧ୍ୟ ଭଲ ବ୍ୟବସ୍ଥା ନଥିବାରୁ ସମସ୍ୟା ଭୋଗୁଛନ୍ତି ।