କନକ ବ୍ୟୁରୋ :  ମହାକୁମ୍ଭ ମେଳାର ଆଜି ଦ୍ବିତୀୟ ଦିନ। ଆଜିଠୁ ଆରମ୍ଭ ହୋଇଛି ଅମୃତ ସ୍ନାନ । ବିଭିନ୍ନ ଅଞ୍ଚଳରୁ ଆସିଥିବା ନାଗା ସାଧୁ ଆଜି କୁମ୍ଭରେ ଅମୃତ ସ୍ନାନ କରିଛନ୍ତି । ହାତରେ ଖଣ୍ଡା, ତ୍ରୀଶୁଳ, ଡମ୍ବରୁ ଧରି କୁମ୍ଭରେ ପହଞ୍ଚିଛନ୍ତି ନାଗା ସାଧୁ । ହର ହର ମହାଦେବ ନାରା ସହ ଶୋଭାଯାତ୍ରାରେ ଆସି ପହଞ୍ଚି ୨ହଜାରରୁ ଅଧିକ ନାଗା ସାଧୁ ଅମୃତସ୍ନାନ କରିଛନ୍ତି । ପ୍ରଥମେ ପଞ୍ଚୟତି ନିର୍ବାଣୀ ଆଖଡ଼ାର ସନ୍ଥମାନେ ବୁଡ଼ ପକାଇଥିଲେ। ଭୋର ୫ଟାରେ ଏମାନେ ସମସ୍ତେ ବୁଡ଼ ପକାଇଛନ୍ତି ।

Advertisment

ଏହା ପରେ ଗୋଟିଏ ପରେ ଗୋଟିଏ ୧୩ଟି ଆଖଡ଼ାର ସାଧୁ ସନ୍ଥ ଅମୃତ ସ୍ନାନ କରିଛନ୍ତି। ହିନ୍ଦୁ ଧର୍ମର ଦିବ୍ୟ ଓ ଭବ୍ୟ ମେଳା ମହାକୁମ୍ଭ ଆଜିଠାରୁ ଆରମ୍ଭ ହୋଇଛି । ମହା ଶିବରାତ୍ରୀ ପର୍ଯ୍ୟନ୍ତ ୪୫ ଦିନ ଧରି ଚାଲିବାକୁ ଥିବା ମେଳାର ପ୍ରଥମ ଦିନ ବା ପୁଷ ପୁନେଇରେ ଅପରାହ୍ଣ ୪ଟା ସୁଦ୍ଧା ପ୍ରାୟ ୧ କୋଟି ୬୦ ଲକ୍ଷ ଶ୍ରଦ୍ଧାଳୁ ପବିତ୍ର ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ବତୀ ନଦୀର ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆୟୋଜିତ ଏହି ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ସମାବେଶରେ ଭାରତର ବିଭିନ୍ନ ସ୍ଥାନ ସମେତ ବିଦେଶରୁ ମଧ୍ୟ ଯାତ୍ରୀମାନଙ୍କର ପ୍ରବଳ ସମାଗମ ହୋଇଛି । ଏସିଆ ମହାଦେଶ ସମେତ ଆମେରିକା, ୟୁରୋପ ଓ ଆଫ୍ରିକା ମହାଦେଶର ୨୦ଟି ଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ସଙ୍ଗମସ୍ଥଳକୁ ଆସିଛନ୍ତି। ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।