କନକ ବ୍ୟୁରୋ : ପୁରୀ ଜିଲ୍ଲା ଗୋପ ତହସିଲ କାର୍ଯ୍ୟାଳୟ ଅଧୀନ ବାଲୁଖଣ୍ଡ ଅଭୟାରଣ୍ୟରେ ୪ଶହ କୋଟି ଟଙ୍କାର ଜମି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ସାଂଘାତିକ ଅଭିଯୋଗ ଆଣି ଗୋପ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଆମ୍ ଆଦମୀ ପାର୍ଟିର ଜିଲ୍ଲା ସଭାପତି । ବାଲୁଖଣ୍ଡ ଅଭୟାରଣ୍ୟର ପୁରୀ-କୋଣାର୍କ ବେଳାଭୂମି ମାର୍ଗ କଡ଼ରେ ଥିବା ଜମିକୁ ବିଲ୍ଡର୍ମାନେ ହାତେଇଛନ୍ତି ! ନିଜ ନାଁରେ ପଟ୍ଟା ବାହାର କରି ପ୍ଲଟିଂ କରି ବିକ୍ରି କରୁଥିବା ଅଭିଯୋଗ ହୋଇଛି ।
ସରକାରୀ ନିୟମ ଅନୁଯାୟୀ, ଅଭୟାରଣ୍ୟ ମଧ୍ୟରେ କୌଣସି ବ୍ୟକ୍ତିଙ୍କ ସ୍ଥିତିବାନ ସମ୍ପତ୍ତି ଥିଲେ, ଏଗ୍ରିମେଣ୍ଟ ଆକାରରେ ବିକ୍ରି ହୋଇପାରିବ । ଜୀବଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରୁ ସେଠାରେ କୋଠା ନିର୍ମାଣ ହୋଇପାରିବ ନାହିଁ । କି ଅଭୟାରଣ୍ୟ ମଧ୍ୟକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ନାହିଁ । ହେଲେ ନିୟମର ଉଲ୍ଲଘଂନ କରି ଅଭୟାରଣ୍ୟ ଭିତରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିବା ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ଥିବା ଜଙ୍ଗଲ ସଂରକ୍ଷଣ ନିୟମକୁ ଉଲ୍ଲଘଂନ କରି ଗୋପ ତହସିଲ ଓ ସବ୍ରେଜିଷ୍ଟାର କାର୍ଯ୍ୟାଳୟ ପକ୍ଷରୁ କେମିତି ଜମି ବିକ୍ରି ହେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।