କନକ ବ୍ୟୁରୋ : ପ୍ରଶାସନର ନାକନିଶ ତଳେ ସୁନ୍ଦରଗଡ ଘଂଚ ଜଙ୍ଗଲରେ କୋଇଲା ଖଣିଥିଲା। ବେଆଇନ ଭାବେ କୋଇଲା ଉତ୍ତୋଳନ କରି ଷ୍ଟକୟାର୍ଡରେ ହଜାର ହଜାର ଟନ କୋଇଲା ଗଚ୍ଛିତ ରଖାଯାଇଥିଲା । କନକ ନ୍ୟୁଜରେ ଏ ନେଇ ଖବର ପ୍ରସାରଣ ପରେ ଖଣି ବିଭାଗର ନିଦ ଭାଙ୍ଗିଛି । ଚେରା କୋଇଲା  କେଉଁ ସ୍ଥାନକୁ ଯାଇଛି ତାହା ଖୋଜୁଛି ପ୍ରଶାସନ   । ଖଣି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ରାଉରକେଲା ଖଣି ଉପନିର୍ଦ୍ଦେଶକ ବିମ୍ବାଧର ସେଠୀଙ୍କ ନେତୃତ୍ବରେ ୮ ଜଣିଆ ଟିମ୍ ବେଆଇନ ଖଣିରେ ତଦନ୍ତ କରିଛନ୍ତି । ତେଲେନଡ଼ିହି ଓ ରତନସରା ବେଆଇନ ଖଣି ଉପରେ ତଦନ୍ତ ହୋଇଛି ।  ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ।

Advertisment

ସୁନ୍ଦରଗଡ ଖଣି ଚୋରି ମାମଲାରେ ଚୋରା କୋଇଲା କେଉଁଠିକୁ ଯାଇଛି ତାକୁ ଖୋଜୁଛି ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଖଣି, ରାଜସ୍ବ ଓ ପୁଲିସର ମିଳିତ ଟିମ୍ ସ୍ପଞ୍ଜ୍ ଆଇରନ ଓ କୋଲ ୱାସେରି ଉପରେ ଚଢ଼ଉ ଆରମ୍ଭ କରିଛନ୍ତି । ହେମଗିରି, ବରପାଲି ଓ କନିକାରେ ଥିବା ବିଭିନ୍ନ କୋଲ ୱାସେରି ଓ ସ୍ପଞ୍ଜ ଆଇରନରେ ଚଢ଼ଉ କରି ଷ୍ଟକ ଭେରିଫାୟ  କରିଛି ସ୍ବତନ୍ତ୍ର ଟିମ୍ । ସେପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଖଣିଚୋରିରର ତଦନ୍ତ ସିବିଆଇ କିମ୍ବା କ୍ରାଇମବ୍ରାଂଚ ଦ୍ବାରା  କରିବାକୁ ଦାବି କରିଛନ୍ତି । 

ଖଣି ଚୋରି ନେଇ ସୁନ୍ଦରଗଡ ଜିଲ୍ଲାପାଳ ତତ୍କାଳୀନ ହେମଗିରି ତହସିଲଦାର ତଥା ବର୍ତ୍ତମାନ ଗଜପତିର ଡେପୁଟି କଲେକ୍ଟର ଲାବଣେନ୍ଦୁ ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଉତ୍ତର ସମୟ ୩ ଦିନ ବିତିଯାଇଛି । କିନ୍ତୁ ଲାବଣେନ୍ଦୁ ତାର ଉତର ଦେଇନାହାନ୍ତି । ତେଣୁ ଆଇନ ଅନୁସାରେ ପଦକ୍ଷେପ ନେବାକୁ ପ୍ରକ୍ରିୟା ଆରମ୍ଭ ହେଇଛି । ପ୍ରଶ୍ନ ଉଠୁଛି, 
-କାହା ଇସାରାରେ ଚାଲିଥିଲା ଖଣିଲୁଟ୍?

-ଲୁଟ୍ ପାଇଁ କିଏ କରିଥିଲା ଡିଲ୍?
-କେଉଁଆଡ଼େ ଯାଉଥିଲା ଚୋରା କୋଇଲା?
-ଶହଶହ କୋଟି ଲୁଟ୍ ହୋଇଥିଲେ ବି ଖଣିମନ୍ତ୍ରୀ ନିରବ କାହିଁକି?