କନକ ବ୍ୟୁରୋ : ଚୋରି ହୋଇଗଲା ହଜାର ହଜାର ଗଛ । ପୁଣି ସରକାରୀ ଜମିରୁ । ଅଭିଯୋଗ ହେଲା, କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । କଟା ଗଛ ଗୁଡିକୁ ଜବତ କରି ଚୁପ ରହିଯାଇଛି ଜଙ୍ଗଲ ବିଭାଗ । ଏ ସଂପର୍କରେ କ୍ୟାମେରା ସାମ୍ନାରେ ମୁହଁ ଖୋଲୁନାହାନ୍ତି ବିଭାଗୀୟ ବାବୁ । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ କେଶାଇବାହାଲରୁ ଜଙ୍ଗଲ ସଫା କରୁଛି କିଏ ?
ଗଛଟିଏ ପାଇଁ କେତେ ନୀତି ନିୟମ । ସରକାରୀ ଜମି ହେଉ ବା ନିଜସ୍ୱ ଜମି । ଗଛ କାଟିବାକୁ ହେଲେ ବନ ବିଭାଗ ଅନୁମତି ନେବାକୁ ପଡ଼ିବ । କୁଚିଣ୍ଡା କେଶାଇବାହାଲ ଗ୍ରାମ୍ୟ ଜଙ୍ଗଲରୁ ବେଆଇନ୍ ଗଛକଟା ଚାଲିଛି । ମାଫିଆ କାଟି ଦେଇଛନ୍ତି ଶହଶହ ଗଛ । ଏନେଇ ବାମରା ତହସିଲଦାର, କେଶାଇବାହାଲ ରେଞ୍ଜର, ଡିଏଫ୍ଓଙ୍କୁ ଜଣାଇଛନ୍ତି । ବାବୁମାନେ ସ୍ଥିତି ଅନୁଧ୍ୟାନ କରିଥିଲେ। କାଠ ବୋଝେଇ ଦଶ ଚକିଆ ଟ୍ରକକୁ ଅଟକ ରଖିଥିଲେ । ପରବର୍ତ୍ତୀ ସମୟରେ ସେ ଗାଡ଼ିକୁ ମଧ୍ୟ ଛାଡ଼ି ଦେଇଥିବା ଜଣାପଡ଼ିଛି ।
ଜଙ୍ଗଲ ବିଭାଗ କଟା ଗଛ ଗୁଡିକର ସଠିକ୍ ଆକଳନ ନକରି କିଛି ଗଛକୁ ମାର୍କିଂ କରି ଗଣ୍ଡି ଓ ମୁଳକୁ ଡାଳପତ୍ରରେ ଘୋଡାଇ ଦେଇଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଜଙ୍ଗଲ ପାଇଁ ଲଢୁଥିବା ବେଳେ ବିଭାଗୀୟ ବଡ଼ ବାବୁ ଏସଂପର୍କରେ ମୁହଁ ଖୋଲୁ ନାହାନ୍ତି ।
କାଠ ମାଫିଆ ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତରାରେ ଜଙ୍ଗଲ ସଫା ହେଉଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି । ଉଚ୍ଚସ୍ତରୀୟ ତଦନ୍ତ କରି ଅଭିଯୁକ୍ତଙ୍କୁ ଠାବ କରି ଦଣ୍ଡ ଦେବାକୁ ଦାବି ହୋଇଛି ।