କନକ ବ୍ୟୁରୋ :ଯାଜପୁର ଜିଲ୍ଳା ବଡଚଣା ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଲୁଟ୍ ହେଉଛି ଲଘୁ ଖଣିଜ ସମ୍ପଦ । ଚୋରା ଚାଲାଣ ହେଉଛି କୋଟି କୋଟି ଟଙ୍କାର ମାଙ୍କଡା ପଥର, ବାଲି ଓ ମୋରମ୍ । ହାତଗୋଡ଼ ବାନ୍ଧି ବସିଛି ପୁଲିସ ଓ ରାଜସ୍ୱ ବିଭାଗ । ନାମକୁ ମାତ୍ର ପ୍ରଶାସନ ପକ୍ଷରୁ ଚଢ଼ାଉ ଓ ଜରିମାନା ଆଦାୟ କରାଯାଉଛି । ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣି ଶାସକ ଦଳକୁ ଘେରିଛି ବିରୋଧୀ ବିଜେଡି । ଖଣି ଚୋରଙ୍କୁ ସାବାଡ କରିବା ପାଇଁ କଠୋର ପଦ ନନେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ଦଳ ।
ବଡ଼ଚଣା ନିର୍ବାଚନ ମଣ୍ଡଳୀର ଭାଲୁଖାଇ, ବଗୁଆ, ମୂଳିଝର, ଦର୍ପଣୀର କୋଲସାହି ପ୍ରଭୃତି ଅଞ୍ଚଳରୁ ଦିନ ଦ୍ୱିପ୍ରହରରେ ମେସିନ ଦ୍ୱାରା କଟା ହେଉଛି ମାଙ୍କଡ଼ା ପଥର । ପାୱାର ଟ୍ରିଲର ଓ ଜେସିବି ସାହଯ୍ୟରେ ଚୋରା ଚାଲାଣ ହେଉଛି । ବର୍ଷବର୍ଷ ଧରି ଲୁଟ୍ପାଟ ଚାଲିଛି ଆଉ କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ରାଜ୍ୟ ସରକାର । ଏସବୁକୁ ରୋକିବାରେ ପ୍ରଶାସନ କଠୋର ହେଉନଥିବାରୁ ମାଫିଆମାନେ ବଡ଼ଚଣାରେ ସକ୍ରିୟ ହେଉଥିବା ଅଭିଯୋଗ ହୋଇଛି।
ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ମୋରମ୍, ବାଲିର ଆବଶ୍ୟକତା ରହିଛି । ସେଥିପାଇଁ ବଡଚଣା ବ୍ଲକର ରାମଦାସପୁର ଅଞ୍ଚଳରେ ୨ଟି ବାଲି ସୈରାତ ନଲାମ ଦିଆଯାଇଛି । ନିଲାମ୍ ବାଦ ବାଲିକୁଦା, ପାର୍ଥପୁର ଅଞ୍ଚଳରୁ ମଧ୍ୟ ବାଲି ଉଠୁଛି । ସେହିପରି ମାଣ୍ଡୁକା ପାହାଡ଼ରୁ ମୋରମ୍ ଉତ୍ତୋଳନ ପାଇଁ ଦର୍ପଣ ତହସିଲ ପକ୍ଷରୁ ଗୋଟିଏ ସୈରାତ ନିଲାମ ଦିଆଯାଇଛି । ଏଠାରେ ମଧ୍ୟ ମାଣ୍ଡୁକା ପାହାଡ଼ର ଅନ୍ୟସ୍ଥାନରୁ, ଅସିଆ ପର୍ବତ ମାଳା, ବଅଡିହ ପ୍ରଭୃତି ଅଞ୍ଚଳରୁ ବେଧଡ଼କ ମୋରମ୍ ଚୋରା ଚାଲାଣ କରି ମାଫିଆ ମାଲାମାଲ ହେଉଛନ୍ତି । ପ୍ରଶାସନ କାଁ ଭାଁ କେତେକବେଳେ ଚଢ଼ାଉ କରି ଜରିମାନା ଆଦାୟ କରୁଛି । ତାହା ଲୋକ ଦେଖାଣିଆ ବୋଲି ଅଭିଯୋଗ ଆଣିଛି ବଡ଼ଟଣା ବିଜେଡି ।
ସାମ୍ୱାଦିକ ସମ୍ମିଳନୀ କରି ଆନ୍ଦୋଳନ ଚେତାବନୀ ଦେଇଛନ୍ତି ବିଜେଡି ନେତା । ରାଜ୍ୟର ଯେଉଁଠି ଖଣି ଅଛି, ସେଠି ଦୁର୍ନୀତି ଆଉ ଚୋରି ଚାଲିଛି । ନିକଟରେ ସୁନ୍ଦରଗଡ଼ ଖଣି ଚୋରି ଖବର ଦେଖିଥିଲେ । ଏବେ ବଡ଼ଚଣାରୁ ଆସିଛି ଲଘୁ ଖଣିଜ ଚୋରି ଖବର । ଏଭଳି ବେଆଇନ୍ କାରବାର ରୋକିବାରେ ପ୍ରଶାସନ ଅଧିକ ତତ୍ପର ହେବାର ଆବଶ୍ୟକତା ରହିଛି ।