କନକ ବ୍ୟୁରୋ: ମୟୂରଭଞ୍ଜ କପ୍ତିପଦାରେ ବାଲିମାଫିଆ ସୀମା ଟପିଛନ୍ତି । ଆଇନ କାନୁନକୁ ଗୋଡ଼ରେ ଦଳିମକଚି, ଆତଙ୍କରାଜ ଚଳାଇଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଏହି ଅଞ୍ଚଳରେ ବାରମ୍ବାର ଅଧିକାରୀମାନେ ବାଲିମାଫିଆଙ୍କ ଆକ୍ରମଣର ଶିକାର ହେଉଥିଲେ ବି ପ୍ରଶାସନର ନିଦ ଭାଙ୍ଗୁନି ।
- ବାଲି ମାଫିଆଙ୍କ ଟାର୍ଗେଟରେ ବାବୁ
- ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ବିଫଳ
- କଳାବ୍ୟାଜ୍ ପିନ୍ଧି କର୍ମଚାରୀଙ୍କ ପ୍ରତିବାଦ
ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିଛନ୍ତି ମାଫିଆ, କିନ୍ତୁ ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ବିଫଳ । ଥାନା ସାମ୍ନାରେ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କୁ ଆକ୍ରମଣ ଘଟଣାକୁ ୨୪ ଘଣ୍ଟା ପୂରିଥିଲେ ମଧ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଧରିପାରିନି ପୁଲିସ । ଘଟଣାକୁ ନିନ୍ଦା କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଧରିବା ଦାବିରେ କପ୍ତିପଦା ତହସିଲଦାରଙ୍କ ସମେତ କର୍ମଚାରୀମାନେ ସୋମବାର କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିଛନ୍ତି । ପୁଲିସ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ନ କଲେ ତହସିଲ ପକ୍ଷରୁ ଜୋରଦାର ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ତେବେ ଦବଙ୍ଗ ଅଫିସର୍ ଭାବେ ପରିଚିତ ଭୀମକାନ୍ତ ମାଝୀ ବେଆଇନ ବାଲି ଚାଲାଣ ରୋକିଥିଲେ । ଅତର୍କିତ ଭାବେ ଚଢ଼ାଉ କରି ନଦୀ ଭିତରେ ପଶି ବାଲିଚାଲାଣ ରୋକିବା ସହ ଏକାଧିକ ଟ୍ରାକ୍ଟର ଓ ଟ୍ରକ ଜବତ କରିଥିଲେ । ଯେଉଁଥିପାଇଁ ତାଙ୍କୁ ମାଫିଆଙ୍କ ଅକ୍ରୋଶର ଶିକାର ହେବାକୁ ପଡ଼ିଛି । ଗତ ରବିବାର ଭୋର ସମୟରେ ଚଢ଼ାଉରେ ଯିବା ପାଇଁ ଏନଫୋର୍ସମେଣ୍ଟ୍ ଗାଡ଼ି ନେବାକୁ ଆସିଥିଲେ ଅତିରିକ୍ତ ତହସିଲଦାର । ଏହି ସମୟରେ ୨୦ରୁ ୨୫ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ଆଉ ଜୀବନ ବଞ୍ଚାଇ କପ୍ତିପଦା ଥାନା ପାଖକୁ ପଳାଇଥିଲେ ଅଧିକାରୀ । ହେଲେ ଅଭିଯୁକ୍ତମାନେ ଥାନାରେ ସାମ୍ନାରେ ବି ତାଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ । ପୁଲିସ ଏହି ଘଟଣାରେ ଏବେ ସୁଦ୍ଧା ୩ ଜଣଙ୍କୁ ଗିରଫ କରିଥିବା ବେଳେ ୧୫ରୁ ଅଧିକ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।
ଏହାପୂର୍ବରୁ ୨୦୨୪ ମସିହାରେ ଡିସେମ୍ବର ୧୮ ତାରିଖରେ ମାଫିଆମାନେ କପ୍ତିପଦା ଆଇଆଇସିଙ୍କୁ ଡାହିସାହିରେ ଆକ୍ରମଣ କରିଥିଲେ, ଏହାସହ ସେହିବର୍ଷ ଡିସେମ୍ବର ୨୮ ତାରିଖରେ ଲଘୁ ଖଣିଜ ଦ୍ରବ୍ୟ ପରିବହନକୁ ବିରୋଧ କରିବାରୁ ବଜରପୁରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ମାଫିଆ ।