କନକ ବ୍ୟୁରୋ : ଟିଭିକେ ନେତା ବିଜୟ ଥାଲାପତିଙ୍କୁ ଭର୍ତ୍ସନା କଲେ ମାଡ୍ରାସ ହାଇକୋର୍ଟ । କରୁର ଦଳାଚକଟା ମାମଲାର ଶୁଣାଣି କରି ହାଇକୋର୍ଟ ବିଜୟଙ୍କୁ ଭର୍ତ୍ସନା କରିଛନ୍ତି । କହିଛନ୍ତି ଟିଭିକେର ରାଜନୈତିକ ସମାବେଶରେ ଦଳାଚକଟାରେ ୪୧ ଜଣଙ୍କ ମୃତ୍ୟୁ ହେଲା । କିନ୍ତୁ ଦଳାଚକଟା ଘଟଣା ପରେ ଦଳର ମୁଖ୍ୟ ବିଜୟ ଥାଲାପତି ଘଟଣାସ୍ଥଳରୁ ଫେରାର ହୋଇଗଲେ । ଏଥିରୁ ଲୋକଙ୍କ ପ୍ରତି ଥିବା ତାଙ୍କ ମାନସିକତା ଜଣାପଡୁଛି । ଏପରିକି ଦଳ ପକ୍ଷରୁ ଅଘଟଣକୁ ନେଇ ଦୁଃଖ ପ୍ରକାଶ ମଧ୍ୟ କରାଗଲା ନାହିଁ । ଏହାକୁ ନେଇ ଟିଭିକେ ନେତାମାନଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି । ମାଡ୍ରାସ ହାଇକୋର୍ଟର ମଦୁରାଇ ଖଣ୍ଡପୀଠ କହିଛନ୍ତି ଯେ ପ୍ରଶାସନ ବିଜୟଙ୍କ ପ୍ରତି ନରମ ମନୋଭାବ ଦେଖାଉଛି । ଘଟଣାର ତଦନ୍ତ ପାଇଁ ଆଇପିଏସ ଅଧିକାରୀ ଅସରା ଗର୍ଗଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାଛଡ଼ା ଏଫଆଇଆରରେ ଟିଭିକେ ମୁଖ୍ୟ ବିଜୟ ଥାଲାପତିଙ୍କ ନାଁ କାହିଁକି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ । ଏଥିସହ ଟିଭିକେ ନେତା ବୁସ୍ସି ଆନନ୍ଦ ଏବଂ ସିଟିଆର ନିର୍ମଳ କୁମାରଙ୍କ ପକ୍ଷରୁ ହୋଇଥିବା ଆଗୁଆ ଜାମିନ ଆବେଦନ ଉପରେ ତାଙ୍କର ଆଦେଶ ସଂରକ୍ଷିତ ରଖିଛନ୍ତି ।

Advertisment