କନକ ବ୍ୟୁରୋ: ନିମ୍ନ ମାନର କଫ୍ ସିରପ୍ ମାମଲାରେ ଆକ୍ସନ ମୋଡରେ ମଧ୍ୟପ୍ରଦେଶ ପୁଲିସ। ଶିଶୁ ମୃତ୍ୟୁର କାରଣ ପାଲଟିଥିବା କୋଲ୍‌ଡ୍ରିଫ୍ କଫ୍ ସିରପ୍ ପ୍ରସ୍ତୁତକାରୀ କମ୍ପାନି ମାଲିକ ତାମିଲନାଡୁରୁ ଗିରଫ ହୋଇଛନ୍ତି। କେମିତି ବିନା ଲାଇସେନ୍ସର ଏହି ମୃତ୍ୟୁର ସିରଫ୍ ବେଧଡ଼କ ବିକ୍ରି କରୁଥିଲେ, ତା’ର ତଥ୍ୟ ଏସଆଇଟି ହାତରେ ଲାଗିଛି। ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। 

Advertisment

ମୃତ୍ୟୁର କଫ୍ ସିରପ୍
ଏମ୍‌ପି ପୁଲିସ୍‌ର ଆକ୍ସନ୍
ବନ୍ଧାହେଲେ ରଙ୍ଗନାଥନ୍
ମଧ୍ୟପ୍ରଦେଶରେ ବିଷାକ୍ତ କଫ୍ ସିରପ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ। କୋଲ୍‌ଡ୍ରିଫ କଫ୍ ସିରପ ପ୍ରସ୍ତୁତ କରୁଥିବା କମ୍ପାନି ଶ୍ରୀସନ୍ ଫାର୍ମାର ନିର୍ଦ୍ଦେଶକ ଜି. ରଙ୍ଗନାଥନଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ପୁଲିସ। ବୁଧବାର ବିଳମ୍ବିତ ରାତିରେ ତାମିଲନାଡ଼ୁର କାଞ୍ଚିପୁରମରେ ରଙ୍ଗନାଥନଙ୍କ କମ୍ପାନି ଉପରେ ଚଢ଼ାଉ କରିଥିଲା ଏସଆଇଟି। କମ୍ପାନିକୁ ସିଲ୍ କରିବା ସହ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ, ଔଷଧର ନମୁନା, ପ୍ରଡକ୍ସନ ରେକର୍ଡ ଜବତ ହୋଇଛି। ଏହାସହିତ ଚେନ୍ନାଇ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ରଙ୍ଗନାଥନଙ୍କ ୨ ହଜାର ବର୍ଗଫୁଟର ଆପାର୍ଟମେଣ୍ଟ ବି ସିଲ୍ କରିଛି ଏସଆଇଟି। 

ମଧ୍ୟପ୍ରଦେଶରେ ନିରୀହ ଶିଶୁଙ୍କ ମୃତ୍ୟୁର କାରଣ ପାଲଟିଥିବା ତାମିଲନାଡ଼ୁର ଜି. ରଙ୍ଗନାଥନ କିଏ? 
କିଏ ଜି. ରଙ୍ଗନାଥନ୍? 
ତାମିଲନାଡୁ ଫାର୍ମାସ୍ୟୁଟିକାଲରେ ୪ ଦଶନ୍ଧି କରି କାମ କରିଛନ୍ତି
୮୦ ଦଶକରେ ପ୍ରଥମଥର ‘ପ୍ରୋଟିନ୍’ ନ୍ୟୁଟ୍ରିସନାଲ ସିରପ୍ ବଜାରକୁ ଛାଡ଼ିଥିଲେ
‘ପ୍ରୋଟିନ୍’ ସିରପ୍ କେବଳ ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା
ତେବେ ଲାଇସେନ୍ସ ନଥିବାରୁ ସିରପ୍‌କୁ ବ୍ୟାନ୍ କରାଯାଇଥିଲା
୧୯୯୦ରେ ଶ୍ରୀସନ୍ ଫାର୍ମାସ୍ୟୁଟିକାଲ କମ୍ପାନିର ପ୍ରତିଷ୍ଠା ହୋଇଥିଲା
୨୦୧୧ରେ କୋଲ୍‌ଡ୍ରିଫ୍ କଫ୍ ସିରପ୍ ପ୍ରସ୍ତୁତ ପାଇଁ ଲାଇସେନ୍ସ ମିଳିଥିଲା

ଗୁରୁତ୍ବପୂର୍ଣ୍ଣ କଥା କଥା ହେଲା କେବଳ ରଙ୍ଗନାଥନଙ୍କ ଗିରଫଦାରି କ’ଣ ଯଥେଷ୍ଟ? କାରଣ ଯେଉଁ ଶ୍ରୀସାନ୍ କମ୍ପାନିରେ ଏହି କଫ୍‌ ସିରପ୍ ପ୍ରସ୍ତୁତ ହେଉଥିଲା, ସେଠି କୌଣସି ନିୟମ ପାଳନ କରାଯାଉନଥିଲା। ୧୧ ବର୍ଷ ଧରି ବେଧଡ଼କ କଫସିରପ୍ ତିଆରି ଚାଲିଥିଲା। କିନ୍ତୁ ତାମିଲନାଡୁ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ନଜର ଏହି କମ୍ପାନି ଉପରେ ପଡ଼ିନଥିଲା। ତେଣୁ ପ୍ରଶ୍ନ ଉଠୁଛି, ବିଭାଗୀୟ ଅଧିକାରୀ ଏଥିପାଇଁ ଉତ୍ତରଦାୟୀ ରହିବେ କି?

ମଧ୍ୟପ୍ରଦେଶର ମୋହନ ଯାଦବ ସରକାର ଫୁଲ୍ ଆକ୍ସନ ମୋଡରେ ଅଛନ୍ତି। ଛିନ୍ଦୱାଡାରେ ପ୍ରତିଟି ଘରୁ କଫ୍ ସିରପ ଜବତ କରିବାର ଅଭିଯାନ ଆରମ୍ଭ ହୋଇଛି। ଅନ୍ୟାନ୍ୟ ମେଡିସିନ୍ ମଧ୍ୟ ଯାଞ୍ଚ କରାଯାଉଛି। ନିୟମ ପାଳନ କରୁନଥିଲେ କଡ଼ା ଆକ୍ସନ ପାଇଁ ନିର୍ଦ୍ଦେଶ ରହିଛି। 

ସେପଟେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବିଷାକ୍ତ କଫ୍ ସିରପରୁ ଶିଶୁ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ପ୍ରଧାନ ବିଚାରପତି ଜଷ୍ଟିସ ବି.ଆର୍ ଗବାଇ, ଜଷ୍ଟିସ ଉଜ୍ବଳ ଭୂୟାନ ଓ ଜଷ୍ଟିସ କେ. ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ  ଏହି ଜନସ୍ୱାର୍ଥ ମାମଲାକୁ ଜରୁରୀ ବୋଲି ବିବେଚନା କରିଛନ୍ତି। ଆଇନଜୀବୀ ବିଶାଲ ତିଓ୍ବାରୀଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଯାହାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୦ତାରିଖରେ ହେବ।