କନକ ବ୍ୟୁରୋ : ‘ଟ୍ରାଭେଲ୍ ୱିଥ୍ ଜୋ’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଥିବା ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନ ଗୁପ୍ତଚର ଅଭିଯୋଗରେ ପୁଲିସ ଗିରଫ କରିଛି । ଜ୍ୟୋତିଙ୍କ ଉପରେ ଭାରତୀୟ ସେନା ସହିତ ଜଡିତ ଅନେକ ସମ୍ବେଦନଶୀଳ ସୂଚନା ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପ୍ରଦାନ କରିବାର ଅଭିଯୋଗ ଅଛି । ଜ୍ୟୋତିଙ୍କ କାରନାମା ପୁଣି ଥରେ ଲୋକଙ୍କ ମନରେ ସେହି ଗୁପ୍ତଚରର ନାମକୁ ଜୀବନ୍ତ କରିଦେଇଛି ଯିଏ ପାକିସ୍ତାନୀ ମାଟିରୁ ଭାରତକୁ ବିଶ୍ୱାସଘାତକତା କରିଥିଲା ।
ଏହି ସବୁ ଘଟଣା ଭିତରେ ମାଧୁରୀ ଗୁପ୍ତା ନାମକ ଜଣେ ପାକିସ୍ତାନୀ ଗୁପ୍ତଚରଙ୍କ କାହାଣୀ ସାମ୍ନାକୁ ଆସିଛି । ମାଧୁରୀ ଗୁପ୍ତା କୌଣସି ସୋସିଆଲ ମିଡିଆ ଷ୍ଟାର ନଥିଲେ । ସେ ଜଣେ ଅଭିଜ୍ଞ କୂଟନୀତିଜ୍ଞ ଥିଲେ ଯିଏ ଇସଲାମାବାଦରେ ଭାରତୀୟ ହାଇକମିସନରେ ପ୍ରେସ୍ ଏବଂ ସୂଚନା ବିଭାଗର ଦ୍ୱିତୀୟ ସଚିବ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ କାହାଣୀ ଜ୍ୟୋତିଙ୍କ କାହାଣୀଠାରୁ ସମ୍ପୂର୍ଣ୍ଣ ଭିନ୍ନ, କିନ୍ତୁ ମାଧୁରୀଙ୍କ କାହାଣୀ ଚମକାଇଦେଲା ଭଳି ।
୨୦୧୦ ମସିହାର କଥା, ଯେତେବେଳେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଶାଖା ମାଧୁରୀକୁ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ଗିରଫ କରାଯାଇଥିଲା । ମାଧୁରୀ ଉପରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଭାରତର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ସୂଚନା ଦେବାର ଅଭିଯୋଗ ଥିଲା ।
ISI ଏଜେଣ୍ଟ ପଞ୍ଝାରେ ଏମିତି ଫସିଗଲେ ମାଧୁରୀ
ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଛାତ୍ରୀ ମାଧୁରୀ ଗୁପ୍ତା UPSC ପରୀକ୍ଷାରେ ସଫଳ ହୋଇଥିଲେ ଏବଂ ତାଙ୍କ କ୍ୟାରିଅର ପାଇଁ ଭାରତୀୟ ବୈଦେଶିକ ସେବାକୁ ବାଛିଥିଲେ । ମାଧୁରୀ ଇରାକ, ଲାଇବେରିଆ, ମାଲେସିଆ ଭଳି ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଥିଲେ । ଉର୍ଦ୍ଦୁ ଭାଷା ଉପରେ ତାଙ୍କର ଭଲ ଅଭିଜ୍ଞତା ଥିବା କାରଣରୁ, ମାଧୁରୀଙ୍କୁ ୨୦୦୭ ମସିହାରେ ଇସଲାମାବାଦରେ ଭାରତୀୟ ହାଇକମିସନରେ ଦ୍ୱିତୀୟ ସଚିବ ଭାବରେ ନିଯୁକ୍ତି ଦିଆଯାଇଥିଲା । ତାଙ୍କର କାମ ଥିଲା ପାକିସ୍ତାନୀ ଗଣମାଧ୍ୟମକୁ ସ୍କାନ୍ କରିବା ଏବଂ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରସ୍ତୁତ କରିବା ।
ଇସଲାମାବାଦର ଏକ ସ୍ଥାନୀୟ ପାର୍ଟିରେ, ଜଣେ ମହିଳା ସାମ୍ବାଦିକ ମାଧୁରୀକୁ ଜାମସେଦ ନାମକ ଜଣେ ବ୍ୟକ୍ତିଙ୍କ ସହିତ ପରିଚୟ କରାଇଥିଲେ, ଯିଏ 'ଜିମ୍' ନାମରେ ପ୍ରସିଦ୍ଧ । ଏହି ମହିଳା ସାମ୍ବାଦିକଙ୍କ ମାଧ୍ୟମରେ ଜିମ୍ ଜାଣିବାକୁ ପାଇଲେ ଯେ ମାଧୁରୀ ଜୈସ-ଏ-ମହମ୍ମଦ ମୁଖ୍ୟ ମୌଲାନା ମାସୁଦ ଆଜହର ଦ୍ୱାରା ଲିଖିତ ଏକ ପୁସ୍ତକ ଖୋଜୁଛନ୍ତି । ଏହିଠାରେ ଜିମ୍କୁ ସୁଯୋଗ ମିଳିଲା ଏବଂ ଏହି ପୁସ୍ତକ ଖୋଜିବା ବାହାନାରେ ସେ ମାଧୁରୀଙ୍କ ନିକଟତର ହେବାକୁ ଲାଗିଲା । କିଛି ଦିନ ମଧ୍ୟରେ, ୩୦ ବର୍ଷୀୟ ଜାମସେଦ ୫୨ ବର୍ଷୀୟା ମାଧୁରୀଙ୍କୁ ପ୍ରେମରେ ପକାଇଥିଲେ ।
ସେହି ସମୟରେ, ୫୨ ବର୍ଷୀୟା ମାଧୁରୀ ଜାମସେଦଙ୍କୁ ଏତେ ଭଲ ପାଉଥିଲେ ଯେ ସେ ତାଙ୍କୁ ବିବାହ କରି ଇସଲାମ ଧର୍ମ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ । କିନ୍ତୁ ସେ ଜାଣିନଥିଲେ ଏହା ଏକ ଷଡ଼୍ଯନ୍ତ୍ରର ଅଂଶ ଥିଲା ବୋଲି । ମାଧୁରୀଙ୍କୁ ଫସାଇବା ପାଇଁ ଷଡ଼୍ଯନ୍ତ୍ର ଚଲାଇଥିବା ବେଳେ ଜାମସେଦକୁ ମିଳିଥିଲା ବଡ ସୁଯୋଗ । ଗୋଟିଏ ଦିନ ଜାମସେଦ ଜାଣିବାକୁ ପାଇଥିଲେ ଯେ, ମଧୁରୀ ଭାରତ ସରକାରଙ୍କ ଉପରେ ଖପ୍ପା ଅଛନ୍ତି । ଏହି କ୍ରୋଧର କାରଣ ଥିଲା ଦୁଇ ବର୍ଷ ପାଇଁ ତାଙ୍କର ଛୁଟି ବାତିଲ କରିବା ଏବଂ ଦରମା ବନ୍ଦ କରିଦିଆଯିବା । ଏହାର ସୁଯୋଗ ନେଇ, ଜାମସେଦ ମାଧୁରୀଙ୍କୁ ଭାରତ ବିରୁଦ୍ଧରେ ଉସୁକାଇବା ଆରମ୍ଭ କଲେ ।
ଏହାରି ଭିତରେ ମାଧୁରୀ ଜାଣି ସାରିଥିଲେ ଯେ ଜାମସେଦ କୌଣସି ସାଧାରଣ ଲୋକ ନୁହଁନ୍ତି ବରଂ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ISIର ଜଣେ ପ୍ରଶିକ୍ଷିତ ଏଜେଣ୍ଟ । ସବୁ ଜାଣି ବି ମାଧୁରୀ ଜାମସେଦଙ୍କ ନିର୍ଦ୍ଦେଶରେ ମାଧୁରୀ, ଭାରତୀୟ ସେନା ଏବଂ RAW ସହିତ ଜଡିତ ଅପରେସନ୍ ସମ୍ବନ୍ଧୀୟ ଗୋପନୀୟ ସୂଚନା ବାଣ୍ଟିବା ଆରମ୍ଭ କରିଥିଲେ । ମାର୍ଚ୍ଚ ୨୦୧୦ରେ, ଜାମସେଦଙ୍କ ନିର୍ଦ୍ଦେଶରେ ମାଧୁରୀ ଜମ୍ମୁ ଏବଂ କାଶ୍ମୀର ଗସ୍ତ କରିଥିଲେ । ସେଠାରୁ ସେ ରାଜ୍ୟର ବାର୍ଷିକ ଯୋଜନା ରିପୋର୍ଟ ପାଇବାକୁ ଚେଷ୍ଟା କଲେ ।
ମାଧୁରୀଙ୍କ ବିଷୟରେ ଗୁଇନ୍ଦା ସଂସ୍ଥାକୁ ମିଳିଥିଲା ସୂଚନା
୨୦୦୯ ମସିହାରେ, ଭାରତୀୟ ଗୁଇନ୍ଦା ସଂସ୍ଥା ସନ୍ଦେହ କରିଥିଲେ ଯେ, ଇସଲାମାବାଦରେ ନିୟୋଜିତ ଜଣେ କୂଟନୀତିଜ୍ଞ ପାକିସ୍ତାନର ISIକୁ ଗୁପ୍ତ ସୂଚନା ଦେଉଥିଲେ । ଏହାପରେ ଆରମ୍ଭ ହୋଇଥିଲା ତଦନ୍ତ । ମାଧୁରୀଙ୍କ ଫୋନ୍, ଇମେଲ୍ ଏବଂ କାର୍ଯ୍ୟକଳାପ ଉପରେ ନଜର ରଖାଗଲା । ତଦନ୍ତ ସମୟରେ ଜଣାପଡିଥିଲା ଯେ ମାଧୁରୀ ଭାରତୀୟ ଗୁଇନ୍ଦା ସଂସ୍ଥା RAW ଏବଂ ନୀତିଗତ ନିଷ୍ପତ୍ତି ସମ୍ବନ୍ଧୀୟ ସମ୍ବେଦନଶୀଳ ସୂଚନା ISIକୁ ଦେଇଥିଲେ । ତଦନ୍ତ ସମୟରେ ମାଧୁରୀ ଏପରି କିଛି ଖୁଲାସା କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ତଦନ୍ତ ସମୟରେ, ମାଧୁରୀ ସ୍ୱୀକାର କରିଥିଲେ, ପ୍ରଥମେ ସେ ପ୍ରତିଶୋଧ ଭାବନାରୁ ଭାରତ ବିରୋଧରେ ISIକୁ ସୂଚନା ଦେଇଥିଲେ, କିନ୍ତୁ ପରେ ଭୟ ଏବଂ ବ୍ଲାକମେଲ୍ ଯୋଗୁଁ ସେ ଗୁପ୍ତଚର କାର୍ଯ୍ୟ ଜାରି ରଖିଥିଲେ ।