କନକ ବ୍ୟୁରୋ: ଓଡ଼ିଆ ଅସ୍ମିତାର କଥା କହି, ସରକାରକୁ ଆସିଛି ବିଜେପି । ହେଲେ ଏବେ ଅଲୋଡ଼ା ହୋଇଛନ୍ତି ଖୋଦ୍ ଓଡ଼ିଆ । ଗୁରୁବାର ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସାଡାର୍ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ । ହେଲେ ପ୍ରଶ୍ନ ଉଠୁଛି...
- ପୁଣି ଅଲୋଡ଼ା ହେଲେ ଓଡ଼ିଆ
- ମାଧୁରୀ ହେଲେ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସାଡାର୍
- କାହିଁକି ବ୍ରାଣ୍ଡ୍ ଆମ୍ବାସାଡର୍ ହେଲେନି ଓଲିଉଡ୍ ହିରୋଇନ୍?
- କେଉଁଠି ରହିଲା ଅସୁବିଧା?
- ନା ବ୍ରାଣ୍ଡ୍ ଆମ୍ବାସାଡାର୍ ହେବାକୁ ଓଡିଆ ଅଭିନେତ୍ରୀ ଅଯୋଗ୍ୟ?
ମାଧୁରୀଙ୍କୁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସାଡାର୍ ଘୋଷଣା କରିବା ପରେ ଏବେ ଏମିତି କିଛି ପ୍ରଶ୍ନ ଚର୍ଚ୍ଚା ସୃଷ୍ଟି କରିଛି । ଏହା ପୂର୍ବରୁ ମଧ୍ୟ ଅନେକ କଥାରେ ଓଡ଼ିଶାରେ ମୁମ୍ବାଇ କଳାକାରଙ୍କୁ ଗୁରୁତ୍ୱ ଦେବା କଥାକୁ ନେଇ ବିବାଦ ସୃଷ୍ଟି ହୋଇସାରିଛି । ଆଉ ଏବେ ପୁଣିଥରେ ମାଧୁରୀଙ୍କୁ ଓଡ଼ିଶା ହସ୍ତତନ୍ତର ବ୍ରାଣ୍ଡ୍ ଆମ୍ବାସାଡାର୍ କରିବା ନୂଆ ବିବାଦକୁ ଜନ୍ମ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।
- କାହିଁକି ମାଧୁରୀ ବ୍ରାଣ୍ଡ୍ ଆମ୍ବାସାଡାର୍ ହେଲେ?
- ଓଡ଼ିଆ ଅଭିନେତ୍ରୀ କଣ ବ୍ରାଣ୍ଡ୍ ଆମ୍ବାସାଡାର୍ ହେବାକୁ ଅଯୋଗ୍ୟ?
- ଓଡ଼ିଆ ଅଭିନେତ୍ରୀଙ୍କୁ ବ୍ରାଣ୍ଡ୍ ଆମ୍ବାସାଡାର୍ କରିବାରେ ଅସୁବିଧା କେଉଁଠି?
କିଛି ଲୋକଙ୍କ କହିବା କଥା, ମାଧୁରୀଙ୍କ ପାଖରେ ବଲିଉଡ୍ ଅଭିନେତ୍ରୀ ହିସାବରେ ଅଧିକ ଲୋକପ୍ରିୟତା ରହିଛି ଆଉ ତାଙ୍କୁ ବ୍ରାଣ୍ଡ୍ ଆମ୍ବାସାଡାର୍ କଲେ ଓଡ଼ିଶା ହସ୍ତତନ୍ତର ଅଧିକ ପ୍ରଚାର ପ୍ରସାର ହେବ । ହେଲେ ସରକାର କଣ ମାଧୁରୀଙ୍କ ସହିତ କୌଣସି ଓଡ଼ିଆ ଅଭିନେତା କି ଅଭିନେତ୍ରୀଙ୍କୁ ମିଳିତ ଭାବେ ବ୍ରାଣ୍ଡ୍ ଆମ୍ବାସାଡାର୍ କରିପାରିନଥାନ୍ତେ କି? କାହିଁକି ଓଡ଼ିଶାରେ ସବୁବେଳେ ବଲିଉଡ୍ ହିରୋ-ହିରୋଇନଙ୍କୁ ଏତେ ଗୁରୁତ୍ୱ ଦିଆଯାଉଛି?
ଏହା ପୂର୍ବରୁ ମଧ୍ୟ ହକି ବିଶ୍ୱକପ୍ ଆୟୋଜନ ବେଳେ, ଉଦଘାଟନୀ ସମାରୋହରେ ବଲିଉଡ୍ କଳାକାରଙ୍କୁ ଦେଖିବାକୁ ମିଳିଥିଲା । ସେତେବେଳେ ଏହାକୁ ନେଇ ଏକ ବଡ଼ ବିବାଦ ମଧ୍ୟ ମୁଣ୍ଡ ଟେକିଥିଲା । କାହିଁକି ସେତେବେଳର ସରକାର, ଓଡ଼ିଆ କଳାକାରଙ୍କୁ ନ ଡାକି କେବଳ ବଲିଉଡ୍ କଳାକାରଙ୍କୁ ଡାକିଲେ ବୋଲି ସେତେବେଳେ ପ୍ରଶ୍ନ ଉଠାଇଥିଲେ ଓଲିଉଡ୍ କଳାକାର । ଆଉ ଏବେ ପୁଣିଥରେ ସେହି ଭଳି ବିବାଦ ମୁଣ୍ଡ ଟେକିପାରେ ।