କନକ ବ୍ୟୁରୋ :  କବୟିତ୍ରୀ  ମଧୁମିତା ଶୁକ୍ଳାଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀ ଖୁବଶୀଘ୍ର ଜେଲରୁ ମୁକୁଳିପାରନ୍ତି । କାରଣ ଏହି ଦମ୍ପତିଙ୍କୁ ଜେଲରୁ ନଛାଡିବା ପାଇଁ ମଧୁମିତାଙ୍କ ଭଉଣୀ ନିଧୀ ଶୁକ୍ଳା ସୁପ୍ରିମକୋର୍ଟରେ ଯେଉଁ ଆବେଦନ କରିଥିଲେ ତାହା ଖାରଜ ହୋଇଛି । 

Advertisment

ଉତ୍ତରପ୍ରଦେଶ ଜେଲ ବିଭାଗ ୨୦୨୩ ରେ ଅମରମଣି ଓ ତାଙ୍କ ପତ୍ନୀଙ୍କୁ ଜେଲରୁ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ରାଜ୍ୟର ୨୦୧୮ ନିୟମ ମୁତାବକ କରାଯାଇଥିଲା । ଏହି ନିୟମରେ ୧୬ ବର୍ଷରୁ ଅଧିକ ଜେଲଦଣ୍ଡ କାଟିଥିବା ଅପରାଧୀଙ୍କୁ ମୁକୁଳାଇବାର ବ୍ୟବସ୍ଥା ରହିଛି । 

ଏହି ମାମଲାର ଶୁଣାଣି କରୁଥିବା ବିଚାରପତି ବେଲା ଏମ୍ ତ୍ରିବେଦୀ ଓ ଜଷ୍ଟିସ ପି,ବି ବରାଲେଙ୍କ ପୀଠ ଆବେଦନକୁ ଖାରଜ କରି କହିଛନ୍ତି କି, ଏହା କୌଣସି ମୌଳିକ ଅଧିକାରର ଉଲଂଘନ ନୁହେଁ । ଏହାସହ ସୁରକ୍ଷା ପାଇଁ ଆବେଦନ କରିଥିବା ନିଧୀ ଶୁକ୍ଳାଙ୍କ ଆବେଦନ ମଧ୍ୟ ଖାରଜ ହୋଇଛି । ଜେଲ ବିଭାଗ ୬୬ ବର୍ଷିୟ ଅମରମଣି ଓ ୬୧ ବର୍ଷିୟା ମଧୁମଣିଙ୍କୁ  ବୟସାଧିକ କାରଣ ଦର୍ଶାଇ ଜେଲରୁ ମୁକୁଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । 

କହିରଖୁ କି ୨୦୦୩ ମସିହା ମଇ ମାସ ୯ ତାରିଖରେ  କବୟିତ୍ରୀ ମଧୁମିତା ଶୁକ୍ଳାଙ୍କୁ ଲକ୍ଷେ୍ନøର ପେପର ମିଲ ଗଳିରେ ଗୁଳି କରି ହତ୍ୟା କରାଯାଇଥିଲା । ସେହି ସମୟରେ ସେ ଗର୍ଭବତୀ ଥିଲେ । ଏହି ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ଅମରମଣିଙ୍କୁ ଗିରଫ କରାଯାଇଥିଲା । କୁହାଯାଉଥିଲା କି ମଧୁମିତା ଓ ଅମରମଣିଙ୍କ ଭିତରେ ଅନୈତିକ ସଂପର୍କ ଥିଲା । 

ଅକ୍ଟୋବର ୨୦୦୭ ରେ ଡେରାଡୁନର ଏକ ଅଦାଲତ ଅମରମଣି ଓ ତାଙ୍କ ପତ୍ନୀ ମଧୁମଣିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ଦଣ୍ଡାଦେଶକୁ ନୈନିତାଲ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟ ବଳବତ୍ତର ରଖିଥିଲେ ।