କନକ ବ୍ୟୁରୋ: ବାଲିପାଟଣାରେ ପାଗଳ ମାଙ୍କଡ଼ ଆତଙ୍କ । ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମାଙ୍କଡ଼ ଭୟରେ ଲୋକେ ଘରେ ତାଟି କବାଟ ବନ୍ଦ କରି ରହୁଛନ୍ତି । ୨ ଦିନ ତଳେ ମାଙ୍କଡ଼ କାମୁଡ଼ାରେ ବାଲିପାଟଣା ସରସ୍ୱତୀ ଶିଶୁ ମନ୍ଦିରର ଗୁରୁଜୀ ମନୋଜ କୁମାର ସାହୁ ଗୁରୁତର ହୋଇଥିଲେ। ତାଙ୍କ ଶରୀରର ୪ ସ୍ଥାନରେ ଗଭିର କ୍ଷତ ସୃଷ୍ଟି ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଆଜି ସକାଳୁ ମାଙ୍କଡ଼ ଆହୁରି ଅଧିକ ହିଂସ୍ର ହୋଇପଡିଛି । ଯାହାକୁ ପାଉଛି ତାକୁ ଗୋଡ଼ାଇ କାମୁଡ଼ୁଛି । ସକାଳୁ ସକାଳୁ ହାଇସ୍କୁଲ ଖେଳ ପଡିଆ ନିକଟରେ ଜଣେ ଅବସରପ୍ରାପ୍ତ ବ୍ଲକ କର୍ମଚାରୀଙ୍କୁ ମାଙ୍କଡ଼ ଆକ୍ରମଣ କରି ଗୁରୁତର କରିଛି । ସବୁଠାରୁ ବଡ଼ କଥା ହେଉଛି ମାଙ୍କଡ଼ଙ୍କ ଗତିଵିଧି ଲକ୍ଷ କରିବାକୁ ଆସିଥିବା ୨ ବନ କର୍ମଚାରୀଙ୍କ ସାମ୍ନାରେ ଲୋକଙ୍କୁ କାମୁଡିଛି ପାଗଳ ମାଙ୍କଡ଼ । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି । ଆଖପାଖ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଛି । ମାଙ୍କଡ଼ ଧରିବାରେ ବନ ବିଭାଗ ଏବେ ବି ବିଫଳ ହୋଇଛି । ଯାହାକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।