କନକ ବ୍ୟୁରୋ : ବିଭିନ୍ନ ଦେବୀପୀଠରେ ଚାଲିଛି ପୂଜାପାଠ । ସ୍ବତନ୍ତ୍ର ରୀତିନୀତି ସହ ସ୍ବତନ୍ତ୍ର ବେଶ କରାଯାଉଛି ମାଆଙ୍କର । ବାଣପୁରର ଶକ୍ତିପୀଠ ମାଆ ଭଗବତୀଙ୍କ ଶାରଦୀୟ ପୂଜା ଏକ ନିଆରା ପରମ୍ପରା ପାଲଟିଛି । ଭଗବତୀ ନିଜର ଛଅ ଭଉଣୀ ମାଆ କାଳିଜାଈ, ନାରାୟଣୀ, ସିଦ୍ଧେଶ୍ୱରୀ, ବିରଜାଈ, ମାଆ କନକ ଦୁର୍ଗା ଓ ମାଆ ବୁଢ଼ୀ ଠାକୁରାଣୀଙ୍କୁ ନିମନ୍ତ୍ରଣ କରି ପର୍ବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ପୂର୍ବ ପରମ୍ପରା ଅନୁସାରେ ଏହି ପରମ୍ପରାକୁ ୭ ବଖରା ଘରେ ପାଳନ କରାଯାଇଥାଏ । ଶାରଦୀୟ ଦୁର୍ଗା ଉତ୍ସବରେ ମାଆ ଭଗବତୀ ପ୍ରତ୍ୟେକ ଦିନ ସନ୍ଧ୍ୟାରେ କାଠିରାଣୀ ବେଶରେ ସେବାୟତମାନଙ୍କ ଗହଣରେ ନାଚି ନାଚି ରାଜଦାଣ୍ଡରେ ବୁଲୁଥାନ୍ତି । ମାଆଙ୍କ ଦର୍ଶନ କରିବା କୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ । ଏଠାରେ ମାଆ ଭଗବତୀଙ୍କ ପୂଜାବିଦ୍ଧି ସଂପୂର୍ଣ୍ଣ ନିଆରା ଥିବା ବେଳେ ଏଠାରେ ରକ୍ତ ସହ ମହାପ୍ରସାଦ ମିଶାଇ ମାଆଙ୍କ ନିକଟରେ ପୂଜାବିଦ୍ଧି ଅନୁଷ୍ଠିତ ହୋଇଥାଏ ।
ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଶାରଳା । ମାଆଙ୍କ ପୀଠରେ ମହା ଆଡମ୍ବରରେ ନୀତିରିତି ଆନୁସାରେ ପାଳନ ହେଉଛି ପାର୍ବଣୀୟ ଷୋଡଶ ଉପଚାର ପୂଜା। ମାଆ ଶାରଳାଙ୍କ ପୀଠରେ ଷଷ୍ଠ ଦିବସିୟ ଷୋଡଶ ଉପଚାର ପୂଜା କରା ଯାଉଛି। ସକାଳୁ ମଙ୍ଗଳ ଆଳତୀ, ମାର୍ଜନା, ଅବକାଶ, ବାଳଭୋଗ ଓ ପରେ ମା ଶାରଳାଙ୍କ ଦୁର୍ଲଭ ବେଶ କରାଯାଇଛି। ଏହି ଅବସରରେ ମାଆଙ୍କ ଦିବ୍ୟ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ଓ ମାନସିକ ଧାରୀ ମାନେ ମାଆ ଶାରଳାଙ୍କ ମନ୍ଦିରକୁ ଆସି ଦର୍ଶନ କରିଛନ୍ତି । ବିଶ୍ୱାସ ରହିଛି ମାଆଙ୍କ ଷୋଡଶ ଉପଚାର ପୂଜା ସମୟରେ ମାଆ ଶାରଳାଙ୍କ ଦର୍ଶନ କରି ମାନସିକ କଲେ ତାହା ପୂରଣ ହୋଇଥାଏ। ଯେଉଁଥି ପାଇଁ ମାନସିକ ଧାରୀ ମାନେ ମନ୍ଦିର ପରିସରରେ ଥିବା ବଉଳ ବୃକ୍ଷରେ ସଂଖା ଓ ଗୁଆ ବାନ୍ଧି ମାନସିକ କରିଥାନ୍ତି।
ମା' ରାମଚଣ୍ଡୀ ମଦିରରେ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ ହୋଇଛି । ମା' ରାମଚଣ୍ଡୀ ଶକ୍ତିପୀଠରେ ଷୋଡଶ ପୂଜା ଚାଲିଛି । ବେଦ ଧ୍ୱନି, ମନ୍ତ୍ର ଉଚ୍ଚାରଣ ସହ ବିଭିନ୍ନ ବେଶରେ ପ୍ରତିଦିନ ମା' ରାମଚଣ୍ଡୀ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗଞ୍ଜାମ ଜିଲ୍ଲା ର ନୀଳାଦ୍ରି ପୁର ଗ୍ରାମର ପାହାଡ଼ ଉପରେ ମାଆ ରାମ ରାମଚଣ୍ଡୀଙ୍କ ମନ୍ଦିର । ଋଷିକୂଲ୍ୟା ନଦୀର ତଟରେ ଏକ ଶାନ୍ତ ଓ ପ୍ରାକୃତିକ ପରିବେଶ ଭିତରେ ମାଆଙ୍କ ପୀଠ ରହିଛି । ୧୬ ଦିନ ଧରି ମାଆ ରାମଚଣ୍ଡୀଙ୍କ ପୀଠରେ ଚଣ୍ଡୀ ପାଠ ସହିତ ମାଆଙ୍କ ପାଖରେ ପୂଜା ହୋଇ ଥାଏ । ସକାଳୁ ମନ୍ଦିର ଖୋଲା ହେବା ପରେ ଅବକାଶ, ମଙ୍ଗଳ ଆରତୀ, ବାଳ ଭୋଗ ହୋଇଥାଏ । ସନ୍ଧ୍ୟା ସମୟରେ ମାଆଙ୍କ ପୀଠରେ ଆଳତୀ ପରେ ଚଣ୍ଡୀ ପାଠ ସହିତ ବିଭିନ୍ନ ଗୁପ୍ତ ପୂଜା କରାଯାଇ ଥାଏ । ନବମୀ ଠାରୁ ମା’ ଙ୍କ ବିଭିନ୍ନ ବେଶ କରାଯିବାର ରହିଛି ପରମ୍ପରା । ମାଆଙ୍କ ଦିବ୍ୟ ଦର୍ଶନ ଦେଖିବା ପାଇଁ ଦୂରଦୂରାନ୍ତରୁ ଶହଶହ ଭକ୍ତଙ୍କ ସମାଗମ ହୋଇଛି ହେଉଥିବା ବେଳେ ଏଠାରେ ମାଆଙ୍କ ଦିବ୍ୟ ଦର୍ଶନ କରିବା ସହ ମା ଙ୍କ ପାଖରେ ମାନସିକ ଲାଗି କରିଥାଆନ୍ତି । ଦଶହରା ଦିନ ମା ଙ୍କ ଦଶମୀ ପୂଜା ଆୟୋଜନ ହେବ ।