କନକ ବ୍ୟୁରୋ: ଧରାବତରଣ କରିବେ ଜଗତଜନନୀ ମା’ ଦୁର୍ଗା । ଏଥିପାଇଁ କଟକ ସହରରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଲାଣି । ମାଆଙ୍କ ସ୍ୱାଗତ ପାଇଁ ପ୍ରତ୍ୟେକ ମଣ୍ଡପରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଖଡ଼ି ଲାଗି ପରେ ଏବେ ଚାଲିଛି ମାଆଙ୍କ ରଙ୍ଗ କାମ ।
ମା’ଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି । ଉତ୍ସବମୁଖର ହୋଇଉଠିଲାଣି ୫୨ ବଜାର ୫୩ ଗଳିର ସହର । ହାତରେ ମାତ୍ର ଆଉ କିଛି ଦିନ ଥିବାରୁ ଦିନରାତି ଏକ କରି ଦେଇଛନ୍ତି କାରିଗର । କଟକ ସହରରେ ଚଳିତ ବର୍ଷ ୧୬୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ମାଆ । ଖଡ଼ିଲାଗି ଅମାବାସ୍ୟା ପରଠୁ ମା’ଙ୍କ ରଙ୍ଗ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର ।
ଏପଟେ ପୀଠରେ ମାଆଙ୍କ ଷୋଡ଼ଶ ଉପଚାର ପୂଜା ସହ ରାତିନୀତି ଅନୁଯାୟୀ ନବରାତ୍ର ପୂଜା ବି ଚାଲିଛି । ନବରାତ୍ରରେ ମାଆଙ୍କ ସ୍ବତନ୍ତ୍ର ବେଶ ଦର୍ଶନ ଲାଗି କଟକ ଚଣ୍ଡୀ ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ମଣ୍ଡପଗୁଡ଼ିକରେ ଷଷ୍ଠୀଠାରୁ ଆରମ୍ଭ ହେବ ମାଆଙ୍କ ଆରାଧନା । ଯାହାକୁ ଉତ୍ସାହର ସହ ଚାହିଁ ରହିଛନ୍ତି ଭକ୍ତ ।