କନକ ବ୍ୟୁରୋ : ପଶୁବଳିକୁ ବିରୋଧ । ପୂଜାରେ ରକ୍ତ ବଦଳରେ ମାଆ କାଳୀଙ୍କୁ ଲାଗିଲା ଖଇ ଓ ଗୁଡ଼ରେ ପ୍ରସ୍ତୁତ ଯୁଗାର ଭୋଗ । ନିଆରା ଢଙ୍ଗରେ ବରଗଡ଼ ପଦ୍ମପୁର ଉପଖଣ୍ଡ କୁଚିପାଲି ଗାଁ ଯୁଗାର ଯାତ୍ରା ମହୋତ୍ସବରେ ଏକାଠି ହୋଇଛନ୍ତି ସବୁଧର୍ମର ଶ୍ରଦ୍ଧାଳୁ । ମାଆ ଶ୍ୟାମାକାଳୀଙ୍କ ପୂଜାକୁ ନେଇ ଉତ୍ସବ ମୁଖର ହୋଇଛି ସାରା ଗାଁ । କେବଳ ପରମ୍ପରା ନୁହେଁ ଭାଇଚାରର ନିଦର୍ଶନ ଏହି ପୂଜାରେ ଦେଖିବାକୁ ମିଳିଛି । ଭାଇଚାରା ଏବଂ ଏକତାର ସନ୍ଦେଶ ନେଇ ମହାକାଳୀଙ୍କୁ ଶହଶହ ମାନସିକ ଯୁଗାରକୁ ବଳି ଦେଇଛନ୍ତି ମାନସିକଧାରୀ । ରକ୍ତ ବଦଳରେ ଖଇ ଓ ଗୁଡ଼ରେ ପ୍ରସ୍ତୁତ ଯୁଗାର ଭୋଗ ଲାଗି କରିଛନ୍ତି । ଗତ ୩୯ବର୍ଷ ଧରି ଗ୍ରାମବାସୀ ପଶୁବଳିକୁ ବିରୋଧ କରି ଚାଲିଛନ୍ତି ସଂଘର୍ଷ । ନିରବଚ୍ଛିନ୍ନ ଭାବେ ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିଆନ ସବୁଧର୍ମର ଲୋକେ ଏକାଠି ହୋଇ ମାଆ କାଳୀଙ୍କ ଯୁଗାର ଯାତ୍ରାରେ ସାମିଲ ହୋଇଛନ୍ତି ।
ଗାଁରେ ପଶୁବଳିକୁ ବିରୋଧ କରି ପ୍ରଥମେ ଆରମ୍ଭ ହୋଇଥିଲା ମା’ କାଳୀଙ୍କ ସାତ୍ୱିକ ପୂଜା ମହୋତ୍ସବ । ଚଳିତ ବର୍ଷ ଯୁଗାର ଯାତ୍ରାରେ ସାମିଲ ହୋଇଥିଲା ପଶ୍ଚିମବଙ୍ଗ, ଗୁଜୁରାଟରୁ ନେଇ ବାହରୁ ଶହଶହ ମାନସିକଧାରୀ । ଯୁଗାର ସାଂସ୍କୃତିକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଏକ ହଜାରରୁ ଉର୍ଦ୍ଧ୍ୱ କଳାକାର । ବିଲୁପ୍ତ ଲୋକ ବାଦ୍ୟ ଓ ଲୋକ ନାଚରେ ଦୁଲୁକି ଉଠିଥିଲା ସମଗ୍ର ଅଞ୍ଚଳ । ଭେଦ ଭାବ ଭୁଲି ଏହି ଅଞ୍ଚଳରେ ଯୁଗାର ଯାତ୍ରାରେ ପୂଜା ସହିତ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଛି । ଯାହା ଅନ୍ୟ ପାଇଁ ପାଲଟିଛି ଉଦାହରଣ ।