କନକ ବ୍ୟୁରୋ : ଆଜି ମଣ୍ଡପେ ସପ୍ତମୀ ଓ ପୀଠେ ମହାଅଷ୍ଟମୀ । ଅଷ୍ଟମୀରେ ମାଆ ସମଲେଶ୍ୱରୀଙ୍କ ଖଣ୍ଡାଧୁଆ ବିଧି ସମ୍ପାଦନ କରାଯିବ । ମହାନଦୀର ମଛିନ୍ଦ୍ରଘାଟରେ ମାଆଙ୍କ ଖଣ୍ଡା ଧୁଆଯିବା ପରେ ରାତିରେ ସେହି ଖଣ୍ଡା ମାଆଙ୍କ ସମ୍ମୁଖରେ ରଖାଯାଇ ପୂଜା କରାଯିବ । ସେହିପରି ଆଜି ଆଖଡ଼ା ଗୁଡ଼ିକ ମନ୍ଦିରକୁ ଆସି ଆଖଡ଼ା ପ୍ରଦର୍ଶନ କରିବେ । ମାଆଙ୍କ ଦର୍ଶନ ପାଇଁ ମନ୍ଦିରରେ ସକାଳଠୁ ଜମୁଛି ଭକ୍ତଙ୍କ ଭିଡ଼ ଲାଗିଛି ।  
 
ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ଶକ୍ତିପୀଠରେ ଆଜି ମହାଷ୍ଟମୀ ପୂଜା ପାଳିତ ହେଉଛି । ଷୋଡ଼ଶ ରୀତିନୀତି ଅନୁସାରେ ମା’ଙ୍କର ଆଜି ସ୍ୱତନ୍ତ୍ର ପୂଜାର ବ୍ୟବସ୍ଥା ରହିଛି । ଏହି ଅବସରରେ ସମ୍ପୂର୍ଣ୍ଣ ମନ୍ଦିରକୁ ଫୁଲରେ ସୁସଜ୍ଜିତ କରାଯାଇଛି ।  ଭୋର ୪ଟା ସମୟରେ ସେବାୟତମାନେ ମହାନଦୀରୁ ୧୦୮ କଳସୀରେ ପାଣି ଆଣି ପ୍ରଥମେ ମା’ଙ୍କର ମାଜଣା କରାଯିବା ସହ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ବଲ୍ଲଭ ପୂଜା ପରେ ମା’ଙ୍କ ପାଖରେ ସକାଳ ଧୂପ ଲାଗିଥାଏ । ସକାଳ ଧୂପରେ ମା’ଙ୍କ ପାଖରେ ମାଣ୍ଡୁକ ଭୋଗ ଲାଗି କରାଯାଇଥାଏ । ପରେ ଅପରାହ୍ଣରେ ରାଜ ରାଜେଶ୍ଵରୀ ବେଶରେ ଜଗତ ଜନନୀ ମା’ ଚର୍ଚ୍ଚିକା ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥା’ନ୍ତି । ଏହି ସ୍ୱତନ୍ତ୍ର ବେଶ ଦେଖିବାକୁ ଦୂରଦୂରାନ୍ତରରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । 

Advertisment