କନକ ବ୍ୟୁରୋ : ଆଜି ନବରାତ୍ରି ପୂଜାର ଚତୁର୍ଥ ଦିନ । କୁଷ୍ମାଣ୍ଡା ବେଶରେ ଦର୍ଶନ ଦେଉଛନ୍ତି ଦେବୀ ଦୁର୍ଗା । ଅନ୍ୟପଟେ ବିଭିନ୍ନ ଶକ୍ତିପୀଠରେ ଚାଲିଛି ଷୋଡ଼ଶ ଉପଚାର ପୂଜା । ତେବେ ମା’ ବିରଜାଙ୍କ ପୀଠରେ ପାଦ ସ୍ପର୍ଶ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ସନ୍ଧ୍ୟାରେ ମା’ଙ୍କ ରଥଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । 

Advertisment

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ମଧ୍ୟ ନବରାତ୍ରି ପୂଜା ଚାଲିଛି । ଷୋଡ଼ଶ ଉପଚାର ପୂଜାର ଏହା ଦ୍ୱାଦଶ ଦିବସରେ ସ୍ବତନ୍ତ୍ର ରୀତିନୀତି ଅନୁସାରେ ପୂଜା ଚାଲିଛି । ମା’ଙ୍କର ଏହି ଦିବ୍ୟ ରୂପ ଦର୍ଶନ କରି ଶ୍ରଦ୍ଧାଳୁ ମାନେ ଆତ୍ମ ସନ୍ତୋଷ ଲାଭ କରୁଛନ୍ତି । 

ପୁରାଣ କୁହେ, କୁଷ୍ମାଣ୍ଡା‌ ଦେବୀ ଦୁର୍ଗାଙ୍କର ଏକ ଅନନ୍ୟ ରୂପ, ଯିଏ ମୃଦୁହାସଦ୍ୱାରା ବ୍ରହ୍ମାଣ୍ଡ ସୃଷ୍ଟି କରିପାରନ୍ତି । କାଲିକୁଲା ସମ୍ପ୍ରଦାୟର ଲୋକମାନେ କୁଷ୍ମାଣ୍ଡା‌ଙ୍କୁ ଦେବୀ ଦୁର୍ଗାଙ୍କର ଚତୁର୍ଥ ଅବତାର ବୋଲି ମନେକରନ୍ତି । ନବରାତ୍ରିର ଚତୁର୍ଥ ଦିନରେ ମାଆ କୁଷ୍ମାଣ୍ଡା‌ଙ୍କୁ ପୂଜା କରାଯାଏ । ସେ ସମ୍ପଦ ଓ ଶକ୍ତିର ଉନ୍ନତି କରୁଥିବା ବିଶ୍ୱାସ କରାଯାଏ ।  ଦେବୀ କୁଷ୍ମାଣ୍ଡା‌ଙ୍କର ଆଠଟି ହାତ ଥିବାରୁ ସେ ଅଷ୍ଟଭୂଜା ଦେବୀ ଭାବରେ ପରିଚିତ । ତାଙ୍କ ଜପାମାଳାରେ ସିଦ୍ଧି ଓ ନିଧି ଦେବାର ସମସ୍ତ ଶକ୍ତି ନିହିତ ଥାଏ । ପ୍ରବାଦ ଅଛି, ସେ କେବଳ ସ୍ମିତ ହସଦ୍ୱାରା ସମସ୍ତ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ । ସେ ଧଳା କ‌ଖାରୁ ବା କୁଷ୍ମାଣ୍ଡକୁ ଭଲ ପାଆନ୍ତି । ତାଙ୍କର ବ୍ରହ୍ମାଣ୍ଡ ଓ କୁଷ୍ମାଣ୍ଡ ସାଥିରେ ସମ୍ପର୍କ ରହିବା ଯୋଗୁଁ ତାଙ୍କର ଏପରି କୁଷ୍ମାଣ୍ଡା ନାମ ହୋଇଛି । ଅଷ୍ଟହସ୍ତରେ ସେ ପଦ୍ମ, ଚକ୍ର, କମଣ୍ଡଳୁ, ଧନୁ, ତୀର, ଗଦା, ମାଳା, ଅମୃତ ପାତ୍ର ଆଦି ଧରିଥାଆନ୍ତି । ତାଙ୍କର ଭକ୍ତମାନଙ୍କୁ ତାଙ୍କର ଗୋଟିଏ ହାତରେ ଥିବା ଅଭୟ ମୁଦ୍ରା ସାହାଯ୍ୟରେ ସେ ଆଶୀର୍ବାଦ ଦିଅନ୍ତି । ବାଘ ହେଉଛି ତାଙ୍କର ବାହନ ।

ଏପରି ଗୋଟିଏ ସମୟ ଥିଲା ଯେତେବେଳେ ପୃଥିବୀ ବୋଲି କିଛି ନଥିଲା, ଗୋଟିଏ ଶୂନ୍ୟ ସ୍ଥାନ ଅନ୍ଧକାରରେ ଆଚ୍ଛାଦିତ ଥିଲା । ସଂସାରର କୌଣସି ଚିହ୍ନ ବର୍ଣ୍ଣ ନଥିଲା । କେବଳ ଗୋଟିଏ ଆଲୋକ ରେଖା ସର୍ବଦା ବିରାଜମାନ ଥିଲା ଯାହା ଏହି ଶୂନ୍ୟ ସ୍ଥାନ‌କୁ ଆଲୋକିତ କରୁଥିଲା । ଏହି ଆଲୋକ ସାଗରର ଆକାର ନଥିଲା । ହଠାତ ଏହି ଶୂନ୍ୟ ସ୍ଥାନରେ ଆକାର ବିରାଜମାନ ହେଲା ଯାହା ଏକ ସ୍ୱର୍ଗୀୟ ଦେବୀ ଭଳି ପ୍ରତୀତ ହେଲେ ଓ ସେ କୁଷ୍ମାଣ୍ଡା ଥିଲେ । ଦେବୀଙ୍କର ନିରବ ସ୍ମିତ ହସରୁ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭ ହେଲା । ତାଙ୍କ ସ୍ମିତ ହସଦ୍ୱାରା ଅନ୍ଧକାର ଦୂରୀଭୂତ ହୋଇ ଏକ ନୂଆ ବ୍ରହ୍ମାଣ୍ଡ ତିଆରି ହେଲା । ଏହି ହସରୁ ଆଲୋକ ଓ ଜୀବନ ସୃଷ୍ଟି ହେଲା । ପୃଥିବୀ, ଗ୍ରହ, ନକ୍ଷତ୍ର ଓ ଆକାଶ ଗଙ୍ଗାର ସୃଷ୍ଟି ହୋଇଥିଲା । ଜୀବ ଜଗତ ବଞ୍ଚିବା ନିମନ୍ତେ ସୂର୍ଯ୍ୟ ଦରକାର ହେଲା । ତେଣୁ ସେ ସୂର୍ଯ୍ୟ ଓ ଶକ୍ତି ସୃଷ୍ଟି କଲେ ଓ ଜୀବ ଜଗତ ବଞ୍ଚି ରହିବା ନିମନ୍ତେ ଶକ୍ତି ଓ ଆଲୋକ ଦେଲେ । ତାଙ୍କର ଶକ୍ତି ପାଇ ସୂର୍ଯ୍ୟ ଶକ୍ତିଶାଳୀ ହୋଇଛି ।
ସେ ହିଁ ସୂର୍ଯ୍ୟଙ୍କର ଉତ୍ସ । ତାଙ୍କ ବିନା ଆଲୋକ ଓ ଶକ୍ତି ନିଷ୍ପ୍ରଭ ହୋଇଯିବ । ସୃଷ୍ଟିକୁ ସୂର୍ଯ୍ୟ ଆଲୋକିତ କରୁଥିଲେ ମଧ୍ୟ ତାଙ୍କ ଯୋଗୁ ସୂର୍ଯ୍ୟ ଶକ୍ତିପ୍ରାପ୍ତ ହେଉଛନ୍ତି । କୁଷ୍ମାଣ୍ଡା ରୂପରେ ସେ ଶକ୍ତିମୟୀ ହୁଅନ୍ତି । ଦେବତା, ମାନବ ଓ ଅନ୍ୟାନ୍ୟ ପାର୍ଥିବ ଜୀବ ତାଙ୍କର ପୂଜା କଲେ ସେ ସ୍ମିତ ହସ ପ୍ରଦାନ କରନ୍ତି । ଚତୁର୍ଦିଗ ଅନ୍ଧକାରାଚ୍ଚନ୍ନ ଥିଲାବେଳେ ମାଆ କୁଷ୍ମାଣ୍ଡା ଆଲୋକ ପ୍ରଦାନ କଲେ । ସେ ସୂର୍ଯ୍ୟର କେନ୍ଦ୍ରରେ ରହି ସଂସାରକୁ ଦୀପ୍ତିମାନ କରୁଛନ୍ତି । ତାଙ୍କର ତେଜ ବଳରେ ସୂର୍ଯ୍ୟ ତେଜୀୟାନ ହୁଏ ।