ଯା ଦେବୀ ସର୍ବ ଭୂତେଷୁ ... ବେଦଧ୍ବନି, ହୋମଯଜ୍ଞ, ଚଣ୍ଡୀପାଠରେ ଚାଲିଛି ମା’ଦୁର୍ଗାଙ୍କ ମହାସପ୍ତମୀ ପୂଜା

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ବରୀ, କଟକର ମା’ କଟକ ଚଣ୍ଡୀ, ଝଙ୍କଡ଼ ଶାରଳା, କାକଟପୁର ମଙ୍ଗଳା, ଘଟଗାଁର ମା’ ତାରିଣୀଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା ।

Maa Durga

Maa Durga Photograph: (KanakNews)

କନକ ବ୍ୟୁରୋ : ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ବରୀ, କଟକର ମା’ କଟକ ଚଣ୍ଡୀ, ଝଙ୍କଡ଼ ଶାରଳା, କାକଟପୁର ମଙ୍ଗଳା, ଘଟଗାଁର ମା’ ତାରିଣୀଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା । ପୀଠମାନଙ୍କରେ ଆଜି ମା’ଙ୍କ ମହାଷ୍ଟମୀ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ମଣ୍ଡପରେ ମହାସପ୍ତମୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଦେବୀ ଦୁର୍ଗା । ଜଗତସିଂହପୁରର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ ବାସିନୀ ମା’ ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା ଚାଲିଛି । ଗତ ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ ଉପଚାର ପୂଜା ଆଜିକୁ ୧୬ଦିନ ତଥା ଅନ୍ତିମ ଦିବସରେ ପହଞ୍ଚିଛି ଏବଂ ନବରାତ୍ର ପୂଜାର ଆଜି ଅଷ୍ଟମ ଦିବସ । ଯାହାକି ମହାଷ୍ଟମୀ ଭାବେ ପାଳନ କରାଯାଏ । ଏହି କ୍ରମରେ ଆଜି ମା’ ମହାଗୌରୀ ସ୍ୱରୂପରେ ଦର୍ଶନ ଦେଉଛନ୍ତି । ଏହି ମହାଷ୍ଟମୀ ଅବସରରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କୁ ଦର୍ଶନ କରୁଛନ୍ତି । ସେହିଭଳି ପାରଳାଖେମୁଣ୍ଡି ସହରର ଅଙ୍କ ସାହିରେ ଥିବା ମାଆ ମାଣିକେଶ୍ବରୀଙ୍କ ମନ୍ଦିରରେ ମଧ୍ୟ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା ଚାଲିଛି । ଗଜପତି ମହାରାଜଙ୍କ ଇଷ୍ଟଦେବୀ ମାଆ ମାଣିକେଶ୍ବରୀଙ୍କ ପୂଜାର ସ୍ଵତନ୍ତ୍ରତା ରହିଥିବା ବେଳେ ମାଆ ମାଣିକେଶ୍ବରୀଙ୍କ ସମେତ ସେହି ପୀଠରେ ପୂଜା ପାଉଛନ୍ତି ମାଆ କନକ ଦୁର୍ଗା । କନକ ଦୁର୍ଗାଙ୍କ ପୀଠରେ ପ୍ରତ୍ୟେକ ଦିନ ଚଣ୍ଡୀ ପାଠ ସହ ଆମିଷ ଭୋଗ କରାଯାଏ । ପୂଜା ଆରମ୍ଭ ଦିନଠାରୁ ମାନସିକଧାରୀମାନେ ଏଠାରେ ଅଖଣ୍ଡ ଦୀପ ଦାନ ପ୍ରଥା ରହିଥିବା ବେଳେ ଅଷ୍ଟମୀରେ ପଶୁ ବଳିର ପ୍ରଥା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe