କନକ ବ୍ୟୁରୋ: ୟା ଦେବୀ ସର୍ବଭୂତେଷୁ ମା’ ସ୍କନ୍ଦମାତା ରୂପେଣ ସଂସ୍ଥିତା
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ
ଆଜି ନବରାତ୍ରିର ପଞ୍ଚମ ଦିନ। ଆଜିର ଦିନରେ ମା’ ସ୍କନ୍ଦମାତାଙ୍କୁ ପୂଜା କରାଯାଇଥାଏ । ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର ଭଗବାନ କାର୍ତ୍ତିକେୟଙ୍କ ଅନ୍ୟନାମ ସ୍କନ୍ଦ । ପୌରାଣିକ ମାନ୍ୟତା ଅନୁଯାୟୀ ତାରକାସୁରର ନାଁ ରାକ୍ଷସ ଥିଲା । ଯାହାର ମୃତ୍ୟୁ କେବଳ ଭଗବାନ ଶଙ୍କରଙ୍କ ପୁତ୍ରଙ୍କ ଦ୍ୱାରା ସମ୍ଭବ ଥିଲା । ଏହା ଜାଣିବା ପରେ ମା ପାର୍ବତୀ ପୁତ୍ର କାର୍ତ୍ତିକଙ୍କୁ ଯୁଦ୍ଧ ପାଇଁ ପ୍ରଶିକ୍ଷିତ କରିବା ସହ ସ୍କନ୍ଦ ମାତାଙ୍କ ରୂପ ଧାରଣ କରିଥିଲେ । ସ୍କନ୍ଦମାତାଙ୍କ ଠାରୁ ଯୁଦ୍ଧ ପ୍ରଶିକ୍ଷିଣ ନେବା ପରେ ଭଗବାନ ସ୍କନ୍ଦ ତାରକାସୁରର ବଧ କରିଥିଲେ ।
ଦେବୀ ଦୁର୍ଗାଙ୍କ ପଞ୍ଚମ ଅବତାରକୁ ସ୍କନ୍ଦମାତା କୁହାଯାଇଥାଏ । ଭଗବାନ ସ୍କନ୍ଦ ବାଲ୍ୟ ରୂପେ ମାତା ସ୍କନ୍ଦଙ୍କ କୋଳରେ ବିରାଜିତ ହୋଇଛନ୍ତି । ମାତାଙ୍କ ଏହି ଦିନ ସାଧକଙ୍କ ମନ ବିଶୁଦ୍ଧ ଚକ୍ରରେ ଅବସ୍ଥିତ ହୋଇଥାଏ । ସ୍କନ୍ଦମାତାଙ୍କୁ ବିଦ୍ୟବାସିନୀ ମଧ୍ୟ କୁହାଯାଏ । ଶାସ୍ତ୍ରରେ ସ୍କନ୍ଦଙ୍କୁ କୁମାର କାର୍ତ୍ତିକେୟ କୁହାଯାଇଥାଏ । ଥରେ ଇନ୍ଦ୍ର କାର୍ତ୍ତିକଙ୍କୁ ଉପହାସ କରିବା ସହ କହିଥିଲେ ତୁମେ ଭଗବାନ ଶଙ୍କର ଏବଂ ମାତା ପାର୍ବତୀଙ୍କ ସନ୍ତାନ ନୁହଁନ୍ତି । ଏହାଦ୍ୱାରା କୁମାର କାର୍ତ୍ତିକେୟ ବହୁତ ଦୁଃଖି ହୋଇଥିଲେ । ଏହାପରେ ମାତା କାର୍ତ୍ତିକେୟଙ୍କ ଦୁଃଖ ବୁଝିପାରିଥିଲେ ଏବଂ ସିଂହ ଉପରେ ବିରାଜମାନ କରି ପ୍ରକଟ ହୋଇ ନିଜ କୋଳରେ କାର୍ତ୍ତକଙ୍କୁ ଉଠାଇ ନେଇଥିଲେ ।
ନବରାତ୍ରିରେ ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ମା’ଙ୍କ ପୂଜା ଦ୍ୱାରା ଜ୍ଞାତ ଓ ଅଜ୍ଞାତ ଶତ୍ରୁ ଭୟ ଦୂର ହୋଇଥାଏ । ଏହାସହ ଜୀବନରେ ଆସୁଥିବା ସଙ୍କଟ ମଧ୍ୟ ମା’ ଦୂର କରିଥାନ୍ତି । ମା’ ସ୍କନ୍ଦମାତାଙ୍କୁ ପୂଜା କଲେ ଜ୍ଞାନ ବୃଦ୍ଧି ଘଟିଥାଏ । ବିଧି ପୂର୍ବକ ମା’ଙ୍କୁ ପୂଜା କଲେ ତ୍ୱଚା ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର ହୋଇଥାଏ ବୋଲି କୁହାଯାଏ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାକୁ ମା’ ସ୍କନ୍ଦମାତାଙ୍କ ପୂଜା ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି ।