କନକ ବ୍ୟୁରୋ : ଆଜି ହେଉଛି ନବରାତ୍ରିର ଦ୍ୱିତୀୟ ଦିନ । ଘରେ ଘରେ ପୂଜା ପାଉଛନ୍ତି ମା’ ଦୁର୍ଗା ଦୁର୍ଗତିନାଶିନୀ  । ମାଆ ଜଗଦମ୍ବାଙ୍କ ନଅରୂପ ଭିତରୁ ଦ୍ୱିତୀୟ ରୂପ ହେଉଛନ୍ତି ମା’ ବ୍ରହ୍ମଚାରିଣୀ । ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ଶାନ୍ତ,ବୈରାଗ୍ୟ,ସଦାଚାର,ଶିଷ୍ଟାଚାର,ତ୍ୟାଗ,ତପ ଏବଂ ବୁଦ୍ଧିର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ବ୍ରହ୍ମଚାରିଣୀ । ମା’ଙ୍କ ଉପାସନା କଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡ଼େ । ମାନ୍ୟତା ରହିଛି ମା’ଙ୍କ ପୂଜା କଲେ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତ ହୋଇଥାଏ । ଏହି ଦିନ ସାଧକର ମନ ସ୍ୱାଧୀଷ୍ଠାନ ଚକ୍ରରେ ଘୁରି ବୁଲୁଥାଏ । ଏହି ଚକ୍ରରେ ଅବସ୍ଥିତ ଥିବା ମନବାଳା ଯୋଗୀ ସ୍ୱରୁପ ମା’ଙ୍କ କୃପା ଏବଂ ଭକ୍ତିର ଆଶିର୍ବାଦ ପ୍ରାପ୍ତ କରିଥାଏ ।

Advertisment
maa Brahmacharini
maa Brahmacharini Photograph: (Google)

ମାତା ବ୍ରହ୍ମଚାରିଣୀ ହେଉଛନ୍ତି ପର୍ବତରାଜ ହିମାଳୟ ଏବଂ ମୈନାବତୀଙ୍କ କନ୍ୟା । ମହାଦେବଙ୍କୁ ପ୍ରାପ୍ତ କରିବା ପାଇଁ ମା’ ବ୍ରହ୍ମଚାରିଣୀ ଘୋର ତପସ୍ୟା କରିଥିଲେ । କଠିନ ତପସ୍ୟା କାରଣରୁ ମା’ଙ୍କ ନାଁ ତପସ୍ୱୀରିଣୀ ଅର୍ଥାତ୍ ବ୍ରହ୍ମଚାରିଣୀ ରୁପେ ଖ୍ୟାତ ହେଲା । ଏଠାରେ ବ୍ରହ୍ମାର ଅର୍ଥ ହେଉଛି ତପସ୍ୟା । ବ୍ରହ୍ମଚାରିଣୀର ଅର୍ଥ ତପର ଚାରିଣୀ (ଯେ ତପର ଆଚରଣ କରେ) । ଦେବୀଙ୍କ ଏହି ଜ୍ୟୋର୍ତିମୟ ଏବଂ ଅତ୍ୟନ୍ତ ଭବ୍ୟ ରୂପ ଭକ୍ତଙ୍କୁ ଆଶିର୍ବାଦ ପ୍ରଦାନ କରିଥାଏ । ଦେବୀ ନିଜ ଡାହାଣ ହସ୍ତରେ ଜପର ମାଳା ଏବଂ ବାମ ହାତରେ କମଣ୍ଡଳ ଧାରଣ କରିଛନ୍ତି । ଦେବଋଷି ନାରଦଙ୍କ କଥାରେ ଦେବୀ ମହାଦେବଙ୍କୁ ସ୍ବାମୀ ରୁପେ ପାଇବା ପାଇଁ କଠିନ ତପସ୍ୟା କରିଥିଲେ ।

day-2
day-2 Photograph: (google)

ଏକ ହଜାର ବର୍ଷ ପର୍ଯ୍ୟନ୍ତ ଦେବୀ କେବଳ ଫୁଲ , ଫଳ ଖାଇ ଏବଂ ଶହେ ବର୍ଷ ପର୍ଯ୍ୟନ୍ତ କେବଳ ଚଟାଣରେ ବସି ଦେବୀ ଘୋର ତପସ୍ୟାରେ ବିଲୀନ ଥିଲେ । ପୌରାଣିକ କଥାନୁସାରେ , ଦେବୀ କିଛି ବର୍ଷ ପର୍ଯ୍ୟନ୍ତ ଖୋଲା ଆକାଶ ତଳେ ଖରା ଏବଂ ବର୍ଷାକୁ ସହ୍ୟ କରି ତପସ୍ୟା କରିଥିଲେ । ତିନି ହଜାର ବର୍ଷ ପର୍ଯ୍ୟନ୍ତ ଗଛରୁ ତଳେ ପଡ଼ିଥିବା ବେଲପତ୍ର ଖାଇ ବଞ୍ଚିଥିଲେ । ନିର୍ଜ,ନିରାହାରରେ ଦେବୀଙ୍କ ଉଜ୍ଜ୍ୱଳ ରୂପ ମଳିନ ପଡ଼ିବାକୁ ଲାଗିଥିଲା । ମା’ଙ୍କ କଠୋର ତପସ୍ୟାରେ ପ୍ରସନ୍ନ ହୋଇ ମହାଦେବ ମା’ ବ୍ରହ୍ମଚାରିଣୀଙ୍କୁ ବିବାହ କରିଥିଲେ । ମା’ ବ୍ରହ୍ମଚାରିଣୀ ଦେବୀଙ୍କ କୃପାରେ ସର୍ବସିଦ୍ଧି ପ୍ରାପ୍ତ ହୋଇଥାଏ । ଦୁର୍ଗା ପୂଜାର ଦ୍ୱିତୀୟ ଦିନରେ ଦେବୀଙ୍କ ଏହି ଶାନ୍ତରୂପର ପୂଜାର୍ଚ୍ଚନା କରାଯାଏ ।