କନକ ବ୍ୟୁରୋ : ନକଲି ସୁନା ଦେଇ ଲୁଟୁଥିଲେ ଲକ୍ଷାଧିକ ଟଙ୍କା । ଅଭିଯୋଗ ପରେ ପୁଲିସର ଚଢାଉ, ଥାନାରେ ଜଣେ ଅଭିଯୁକ୍ତ ଅଟକ । ନକଲି ସୁନା କାରବାର ପଛରେ ରହିଛି ବଡ ଧରଣର ରାକେଟ ଚାଲିଥିବା ଚର୍ଚ୍ଚା ହେଇଛି । ସୂଚନା ମୁତାବକ ଅଗଷ୍ଟ ୫ତାରିଖରେ ବ୍ରହ୍ମପୁର ବୈଦନାଥପୁର ଥାନା ଅଞ୍ଚଳର ଯୁବକ କୃଷ୍ଣ ନାୟକ ଜଣେ ବନ୍ଧୁଙ୍କ ସହାୟତାରେ କମ ଦରରେ ସୁନା କିଣିବା ପାଇଁ ବାଲେଶ୍ବରକୁ ଆସିଥିଲେ । ପ୍ରଥମେ ୬ହଜାର ଟଙ୍କା ଦେଇ ସୁନା ନମୁନା ନେଇଘରକୁ ଯାଇଥିଲେ । ପୁଣି ଅଗଷ୍ଟ ୧୫ ତାରିଖରେ ୧୬ଲକ୍ଷ ଟଙ୍କା ଦେଇ ୨୦୦ ଗ୍ରାମ ସୁନା କିଣିବା  ପାଇଁ ବାଲେଶ୍ବରକୁ ଆସିଥିଲେ । ନକଲି ସୁନା ଆଣି ସୁନାବେପାରୀ ସାଜିଥିବା ଲୁଟେରାମାନେ କପ୍ତିପଦା ନିକଟରେ କୃଷ୍ଣଙ୍କୁ ଛୁରା ମାଡ କରି ସମସ୍ତ ଟଙ୍କା ଲୁଟି ନେଇଥିଲେ । କୃଷ୍ଣ ବରହମପୁର ଥାନାରେ ଅଭିଯୋଗ କରିବା ପରେ ନୀଳଗିରି ପୋଲିସ ଓ ବରହମପୁର ପୋଲିସ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି । ଏଘଟଣାରେ ଆଉ କିଏ କିଏ ସାମିଲ ରହିଛନ୍ତି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛନ୍ତି ।