କନକ ବ୍ୟୁରୋ : ୨୦୦୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଜଣେ ଯୁବନେତାଙ୍କ ପ୍ରବେଶ ହୋଇଥିଲା । ଏହି ଯୁବନେତା ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କର ବି ବେଶ ପସନ୍ଦ ଥିଲେ । ପ୍ରମୋଦ ମହାଜନ ବି ଭଲ ପାଉଥିଲେ । ପ୍ରମୋଦ ମହାଜନ କହିଥିଲେ କି, ଏହି ଯୁବନେତା ରାହୁଲ ଗାନ୍ଧୀଙ୍କ ଠାରୁ ବଡ଼ ନେତା ହୋଇପାରିବେ । ହଁ ଆମେ ବିଜେପିର ବରିଷ୍ଠ ନେତା ମେନକା ଗାନ୍ଧୀଙ୍କ ପୁଅ ବରୁଣ ଗାନ୍ଧୀଙ୍କ ବାବଦରେ । ଏହି ବରୁଣ ଗାନ୍ଧୀ ଦିନେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛାପ୍ରକାଶ କରିଥିଲେ । ହେଲେ ସମୟ ବଦଳିଗଲା ଓ ବରୁଣ ଗାନ୍ଧୀ ରାଜନୀତିରୁ ଦୂରେଇ ଗଲେ !
୨୦୨୪ ସାଧାରଣ ନିର୍ବାଚନରେ ପିଲିଭିତରୁ ବିଜେପି ବରୁଣ ଗାନ୍ଧୀଙ୍କ ସ୍ଥାନରେ ଜିତିନ ପ୍ରସାଦଙ୍କୁ ଟିକେଟ୍ ଦେଇଥିଲା । ଟିକେଟ୍ କଟିବା ପରେ ବରୁଣ ଗାନ୍ଧୀ ଗଣମାଧ୍ୟମରୁ ଦୂରେଇ ଯାଇଥିଲେ । ଏପର୍ଯ୍ୟନ୍ତ ନା ସେ ବିଜେପିର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ନା ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି । କହିରଖୁ କି ୨୦୨୨ ମସିହାରେ ବରୁଣ ଗାନ୍ଧୀ ଅନେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରତୀ ମୋଦୀଙ୍କୁ କଟାକ୍ଷ କରୁଥିଲେ ।
୨୦୨୪ ନିର୍ବାଚନ ପରେ ବରୁଣ ଗାନ୍ଧୀ ସମ୍ପୂର୍ଣ୍ଣ ଭାବେ ରାଜନୀତି, ବିଜେପି ଓ ସୋସିଆଲ ମିଡିଆରୁ ଦୂରେଇ ଯାଇଛନ୍ତି । ଏହାରି ଭିତରେ ବରୁଣ ଗାନ୍ଧୀ କଂଗ୍ରେସରେ ଯୋଗ ଦେଉଥିବା ନେଇ ଅନେକ ଆଲୋଚନା ମଧ୍ୟ ହୋଇଛି । କେବଳ କଂଗ୍ରେସ ନୁହେଁ, ତୃଣମୂଳ କଂଗ୍ରେସରୁ ରାଜ୍ୟସଭା ଯିବେ ବୋଲି ମଧ୍ୟ ଆଲୋଚନା ହେଉଥିଲା । ହେଲେ ଏହି ଦୁଇଟି କଥା ଏପର୍ଯ୍ୟନ୍ତ କେବଳ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଣ୍ଟିଲା । ହେଲେ ଏହି ଦୁଇଟି କଥା ଉପରେ ନା ବରୁଣ ଗାନ୍ଧୀ ନା ମେନକା ଗାନ୍ଧୀ କେହି କିଛି ଉତ୍ତର ରଖିନଥିଲେ । ହେଲେ ଅପରେସନ୍ ସିନ୍ଦୂର ପରେ ବରୁଣ ଗାନ୍ଧୀ ଏକ ଟ୍ୱିଟ୍ କରିଥିଲେ । ଏଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଥିଲେ ।
ବରୁଣ ଗାନ୍ଧୀଙ୍କ ରାଜନୈତିକ ଯାତ୍ରା ବିଜେପିରେ ଭଲ ଚାଲିଥିଲା । ୨୦୦୯ ରେ ସେ ପ୍ରଥମଥର ପିଲିଭିତ ଆସନରୁ ବିଜେପି ଟିକେଟରେ ସାଂସଦ ଭାବେ ବିଜୟୀ ହୋଇଥିଲେ । ୨୦୧୪ ମସିହାରେ ସେ ପୁଣିଥରେ ବିଜେପି ଟିକେଟରୁ ସୁଲତାନପୁର ଆସନରୁ ସାଂସଦ ଭାବେ ବିଜୟୀ ହୋଇଥିଲେ । ପୁଣି ୨୦୧୯ ରେ ପିଲିଭିତ ଆସନରୁ ଲଢି ସାଂସଦ ହୋଇଥିଲେ । ଗତ ୩ ବର୍ଷ ମଧ୍ୟରେ ବରୁଣ ଗାନ୍ଧୀ ୧୮୫ ଟି ଟ୍ୱିଟ୍ କରିଛନ୍ତି । ଏଥିରେ ୩୨ ଟି ଟ୍ୱିଟରେ ସେ ନିଜ ସରକାରଙ୍କୁ ସମାଲୋଚନା କରିଥିଲେ ।