କନକ ବ୍ୟୁରୋ : ନବାବଙ୍କ ସହର ଭାବରେ ପରିଚିତ ଲକ୍ଷ୍ନୌ କେବଳ ଏକ ପର୍ଯ୍ୟଟନ ସ୍ଥଳୀ ନୁହେଁ ବରଂ ଏହା ଏପରି ଏକ ସ୍ଥାନ ଯେଉଁଠାରେ ସ୍ୱାଦ ଏବଂ ପରମ୍ପରାର ଏକ ଯୁଗଳବନ୍ଦୀ ଦେଖିବାକୁ ମିଳେ । ଖାସ୍ କରି ମିଠାପ୍ରେମୀ ଲୋକଙ୍କ ପାଇଁ ଏହି ସ୍ଥାନଟି ସ୍ବର୍ଗ କହିଲେ କିଛି ଭୁଲ୍ ହେବନି । ସେ ଶାହି କେସର ପେଡ଼ା କୁହନ୍ତୁ କି ଶୀତଦିନର ରାବଡ଼ି । ଆଉ ତୁଳା ପରି ନରମ ମଖନ ମଲାଇ କଥା କାଇଁ ପଚାରୁଛନ୍ତି , ଆହାଃ ପାଟିରେ ପକାଉ ପକାଉ ମିଳେଇ ହୋଇଯାଉଥିବ । ଲେଖୁ ଲେଖୁ ପାଟିରୁ ଲାଳ ବୋହିଯାଉଛି … ମିଠେଇ ଖାଉଥିବା ଲୋକଙ୍କୁ ଏହା ଦେଖି କେମିତି ଲାଗୁଥିବ ଅନୁମାନ କରିପାରୁଥିବେ । ତେବେ ଆଜିର ବିଷୟ ଏହି ସ୍ବାଦିଷ୍ଟ ମିଠେଇ ଉପରେ ନୁହେଁ ବରଂ ବିବାଦ ଘେରରେ ରହିଥିବା ଏକ ପ୍ରସିଦ୍ଧ ମିଷ୍ଠାନ୍ନ ଭଣ୍ଡାର ଉପରେ ।
ନିକଟରେ ଜଣେ ଫୁଡ୍ ବ୍ଲଗର୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଲକ୍ଷ୍ନୌର ପ୍ରସିଦ୍ଧ ରାମ ଆରସେ ମିଠା ଦୋକାନରେ ମଲାଇ ମଖନ ତିଆରି କରାଯାଉଛି । ଭିଡିଓଟି ଆରମ୍ଭରୁ ଏକ ସୁସ୍ୱାଦୁ ଅନୁଭୂତି ଦେଉଥିବା ବେଳେ କିଛି ସେକେଣ୍ଡ ପରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳୁଛି ଯାହା ମିଠାପ୍ରେମୀଙ୍କୁ ଦ୍ବିତୀୟଥର ମିଠା ଖାଇଲା ବେଳକୁ ୨ ଥର ଭାବିବାକୁ ବାଧ୍ୟ କରିବ । ଭିଡିଓରେ ଦେଖାଯାଉଛି ଯେ ସରକୁ ଏକ ବଡ଼ ପାତ୍ରରେ ବିଛାଯାଉଛି, ତା’ପରେ ଏହାକୁ ଚାରି ଖଣ୍ଡ କରାଯାଉଛି । ଏହି ଖଣ୍ଡଗୁଡ଼ିକୁ ତ୍ରିକୋଣୀୟ ଆକାର ଦିଆଯାଇ କ୍ଷୀରରେ ବୁଡ଼ାଯାଉଛି । ମିଠା ପ୍ରସ୍ତୁତର ସମ୍ପୂର୍ଣ୍ଣ ବିବରଣୀ କହୁଥିବା ସମୟରେ ଏମିତି କିଛି ଘଟୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।
ଭିଡିଓ ମଝିରେ ଗୋଟିଏ ମୂଷା ହଠାତ୍ ମିଠା ଟେବୁଲ ଉପରକୁ ଚଢ଼ିଯାଇ କ୍ରିମ୍ ଏବଂ ଶୁଖିଲା ଫଳ ଉପରେ ଦୌଡ଼ିବା ଆରମ୍ଭ କରିଦେଇଥିଲା । କାରିଗର ଏପଟେ ମୂଷା ଘଉଡ଼ାଇବା ଅଭିଯାନରେ ଲାଗିଲା ବେଳେ ମୂଷା ଦେହରେ ମିଠା ଦ୍ରବ୍ୟ ଲାଗିସାରିଥାଏ । ତେବେ ବ୍ଲଗର୍ ଜଣକ ସେହି ଦୋକାନରେ ମଲାଇ ମଖନ୍ ଖାଇଥିଲେ କିନ୍ତୁ ତାହା ମୂଷା ଚଢ଼ିଥିବା ମିଠା କି ଅନ୍ୟ ମିଠା ତାହା ଜଣାପଡ଼ିନାହିଁ । ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ୟୁଜର୍ସଙ୍କ ପ୍ରତିକ୍ରିୟାର ସୁଅ ଛୁଟିଥିଲା । ଲୋକମାନେ ମନ୍ତବ୍ୟ ଦେଇ ସ୍ୱଚ୍ଛତା ଅଭାବକୁ ନେଇ ନିଜର କ୍ରୋଧ ପ୍ରକାଶ କରିଥିଲେ ଏବଂ ମିଠାର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଥିଲେ । ଲକ୍ଷ୍ନୌରେ ମିଠାର ପରିଚୟ ଏବେ ବି ଅକ୍ଷୁଣ୍ଣ ରହିଛି କିନ୍ତୁ ମିଠା ପ୍ରସ୍ତୁତ କରୁଥିବା ଲୋକଙ୍କ ସ୍ବଚ୍ଛତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।