Leo Photograph: (google)
ଭାବନ୍ତୁ ଆପଣ ଏକ ବିବାହ ଭୋଜିକୁ ବରକନ୍ୟାଙ୍କୁ ଆଶିର୍ବାଦ ଦେଇ ପ୍ରୀତିଭୋଜନ ଖାଇବାକୁ ଯାଇଥିବେ । ଆଉ ଠିକ୍ ସେତିକି ବେଳେ ଆପଣଙ୍କ ସାମ୍ନାରେ ଗୋଟିଏ ହିଂସ୍ରଜନ୍ତୁ ଚାଲିଆସିବ । ଆପଣ କ’ଣ କରିବେ ? ନିଶ୍ଚିତ ଭାବେ ଜୀବନକୁ ଭୟ ପାଇ ଦୌଡିବେ । ଆପଣ ଭାବୁଥିବେ ସକାଳୁ ସକାଳୁ ଏଭଳି ଅବାନ୍ତର ପ୍ରଶ୍ନ ପଚାରିବାର କାରଣ କ’ଣ କିନ୍ତୁ ଆଜ୍ଞା ଘଟଣା ହିଁ କିଛି ସେମିତି ଘଟିଛି ଯାହାକୁ ଦେଖିଲେ ଆପଣ ବି କହିବେ ହେ , ଭଗବାନ ।
ଉତ୍ତରପ୍ରଦେଶର ନୱାବୀ ସହର ଭାବେ ପରିଚିତ ଲକ୍ଷ୍ନୌରେ ବୁଧବାର ଦିନ ଏକ ବିବାହ ସମାରୋହ ଚାଲିଥିଲା । ବିବାହ ହେଉଥିବା ଘରେ କୁଣିଆଙ୍କ ଖଚାଖଚ୍ ଭିଡ଼ ଭିତରେ ହଠାତ୍ ଚିତ୍କାର ଶୁଭିଉଠିଲା । କେହି କିଛି ଭାବିବା ପୂର୍ବରୁ ସବୁ ଯେଯୁଆଡେ ଦୌଡିବାକୁ ଲାଗିଲେ । ପରିସ୍ଥିତି କିଛି ଏମିତି ହେଲା ଜଣେ ଅତିଥି ଛାତ ଉପରୁ ତଳକୁ ଡେଇଁ ପଡ଼ି ଗୁରୁତର ଆହତ ମଧ୍ୟ ହେଲେ । ହସଖୁସିରେ ମସଗୁଲ୍ ଥିବା ମାହୋଲ୍ କ୍ଷଣିକରେ କାହିଁକି ପୁରା ଓଲଟା ହୋଇଗଲା ଏହା ଜାଣିବା ପାଇଁ ପଡୋଶୀ ଯେତେବେଳେ ଘରେ ପଶିଲେ ଶୁଭିଲା ବାଘର ଗର୍ଜନ ।
ସୂଚନା ମିଳୁଛି ଯେ ରାତି ପ୍ରାୟ ୮ ଟା ବେଳେ ବିବାହ ଆଡ଼ମ୍ବର ଚାଲିଥିବା ଏହି ଘରେ ବିନା ନିମନ୍ତ୍ରଣରେ ପଶିଆସିଥିଲା ଏକ କଲରାପତରିଆ ବାଘ । ଏହି ଘଟଣା ସହରର ବୁଦ୍ଧେଶ୍ୱର ଏମଏମ ଲନରେ ଘଟିଥିବା ସୂଚନା ମିଳୁଛି । ବାଘର ଗର୍ଜନ ଶୁଣି ପଡୋଶୀ ତତକ୍ଷଣାତ୍ ବନବିଭାଗକୁ ଫୋନ୍ କରି ଘରେ ବାଘ ପଶିଥିବାର ସୂଚନା ଦେଇଥିଲେ । ଡିଏଫଓ ଡକ୍ଟର ସୀତାଂଶୁ ପାଣ୍ଡେଙ୍କ ସମେତ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା କରିବା ପରେ ବାଘକୁ ଧରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଏହି ଉଦ୍ଧାର କାର୍ଯ୍ୟ ପୂର୍ବରୁ ଯାହା ଘଟିଥିଲା ତାହା ଅତ୍ୟନ୍ତ ଭୟଙ୍କର ଥିଲା।
ଘଟଣାସ୍ଥଳରେ ପୋଲିସ, ବନ ବିଭାଗ ଟିମ୍ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆଗେଇଥିଲେ। ଅଧରାତିରେ ଚାଲିଥିବା କଲରାପତରିଆ ଉଦ୍ଧାର କାର୍ୟ୍ୟରେ ଅନେକ ବିପଦଜ୍ଜନକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ସାମ୍ନାକୁ ଆସିଥିବା ଏହି ଭିଡିଓରେ ଦେଖାଯାଉଛି ଯେ , ପୋଲିସ ଏବଂ ବନ ବିଭାଗ ଟିମ୍ ସିଡ଼ିରେ ବାଘକୁ କାବୁ କରିବା ପାଇଁ ଯେମିତି ଆଗକୁ ବଢନ୍ତି ବାଘଟି ହଠାତ୍ ଆଗକୁ ଚାଲିଆସୁଛି ଏବଂ ବନ କର୍ମଚାରୀଙ୍କ ଉପରେ ପଞ୍ଝା ମାରି ରାଇଫଲ ଛଡ଼ାଇ ତଳେ ପକାଇ ଦେଉଛି । ଏତିକିବେଳେ ଗୁଳି ଫୁଟିବା ଶବ୍ଦ ଶୁଣି ପୁଣିଥରେ ଉପରକୁ ଦୌଡ଼ିଯାଉଛି ବାଘ । ଉଦ୍ଧାର କରିବାକୁ ଆସିଥିବା ଟିମରୁ କେହି ଜଣେ କହୁଛନ୍ତି - 'ବାଜିଛି, ତାକୁ ଗୁଳି ବାଜିଛି'। ପ୍ରାୟ ୮ ଘଣ୍ଟା ଧରି ଚାଲିଥିବା ଏହି ଲୁଚକାଳି ଖେଳ ପରେ ଗୁରୁବାର ସକାଳ ୪ଟା ବେଳକୁ କଲରାପତରିଆ ବାଘକୁ ଧରାଯାଇଥିଲା।
Follow Us