କନକ ବ୍ୟୁରୋ: ଉତ୍ତରପ୍ରଦେଶ ସରକାର ଦୀପାବଳି ପୂର୍ବରୁ ରାଜ୍ୟର ୨୮ ଲକ୍ଷରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ରାଜ୍ୟର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ୍ (DR) ୪% ବୃଦ୍ଧି କରାଯିବ । ଯାହା ୫୫ ପ୍ରତିଶତରୁ ବୃଦ୍ଧି ପାଇ ୫୮ ପ୍ରତିଶତ ହୋଇଛି । ଏହି ବୃଦ୍ଧି ୧ ଜୁଲାଇ ୨୦୨୫ରୁ ଲାଗୁ ହେବ । ଏହାର ଲାଭ ଅକ୍ଟୋବର ୨୦୨୫ରୁ ନଗଦ ଦେୟ ଆକାରରେ ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଏହା ଲକ୍ଷ ଲକ୍ଷ ରାଜ୍ୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆଶ୍ୱସ୍ତି ଦେବ। ଏହି ନିଷ୍ପତ୍ତି ଫଳରେ ରାଜ୍ୟ ସରକାରଙ୍କ ଉପରେ ମାର୍ଚ୍ଚ ୨୦୨୬ ସୁଦ୍ଧା ୧,୯୬୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବୋଝ ପଡ଼ିବ ।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ନଭେମ୍ବର ୨୦୨୫ରେ ୭୯୫ କୋଟି ଅତିରିକ୍ତ ନଗଦ ବ୍ୟୟଭାର ପଡିବ । ଯେଉଁଥିରେ OPS କର୍ମଚାରୀଙ୍କ GPF ଜମାରେ ୧୮୫ କୋଟି ଅନ୍ତର୍ଭୁକ୍ତ । ଜୁଲାଇ ରୁ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ବକେୟା ଦେୟ ପାଇଁ ସରକାର ୫୫୦ କୋଟିରୁ ଅଧିକ ଅତିରିକ୍ତ ଖର୍ଚ୍ଚ ବହନ କରିବେ ସରକାର । ଡିସେମ୍ବର ୨୦୨୫ ରୁ ରାଜ୍ୟ ସରକାର ମାସିକ ଅତିରିକ୍ତ ୨୪୫ କୋଟି ଖର୍ଚ୍ଚ ବହନ କରିବେ ସରକାର । ଏହି ପ୍ରକ୍ରିୟାକୁ ସୁରୁଖୁରୁରେ କାର୍ଯ୍ୟକାରୀ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ । ଏହି ନିଷ୍ପତ୍ତି କେବଳ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆର୍ଥିକ ଆଶ୍ୱସ୍ତି ଦେବ ନାହିଁ, ବରଂ ଯୋଗୀ ସରକାରଙ୍କ ଲୋକାଭିମୁଖୀ ନୀତିକୁ ମଧ୍ୟ ଦୃଢ଼ କରିବ। ଏହି ଦୀପାବଳି ଉପହାର ରାଜ୍ୟର କର୍ମଚାରୀଙ୍କ ପାଇଁ ଆନନ୍ଦ ଆଣି ଦେଇଛି ।