କନକ ବ୍ୟୁରୋ : ଏଲ୍ପିଜି ଦର ୬୦ ଟଙ୍କା ବଢ଼ିଲା, ବାଣିଜ୍ୟିକ ଏଲ୍ପିଜି ୧୧୫ ଟଙ୍କା ମହଙ୍ଗା ହେଲା । ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବର ଭାରତର ଏଲ୍ପିଜି ଗ୍ରାହକଙ୍କ ଉପରେ ପଡ଼ିଛି । ୧୪.୨ କିଗ୍ରା ବିଶିଷ୍ଟ ଏଲ୍ପିଜି ଦର ସିଲିଣ୍ଡର ପିଛା ୬୦ ଟଙ୍କା ବଢ଼ିଥିବାବେଳେ ୧୯ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍ପିଜି ଦାମ୍ ସିଲିଣ୍ଡର ପିଛା ୧୧୫ ଟଙ୍କା ବଢ଼ିଛି । ଏହା ଫଳରେ ଦିଲ୍ଲୀରେ ଘରୋଇ ଏଲ୍ପିଜି ଦର ୮୫୩ ଟଙ୍କା ପରିବର୍ତ୍ତେ ୯୧୩ ଟଙ୍କା ହୋଇଛି । ସେହିଭଳି ଦିଲ୍ଲୀରେ ବାଣିଜ୍ୟିକ ଏଲ୍ପିଜି ଦର ୧୭୬୮.୫୦ ପଇସାରୁ ବୃଦ୍ଧି ପାଇ ୧୮୮୩ ଟଙ୍କାରେ ପହଞ୍ଚିଛି । ଆଜିଠୁ ତାରିଖରୁ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ନେଇ ଏକ ସୂତ୍ରରୁ ଜଣାଯାଇଛି । ସେପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ସରକାରଙ୍କୁ ଦେଶରେ ଏଲ୍ପିଜି ଅଭାବ ଚିନ୍ତା ଘାରିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଜରୁରୀକାଳୀନ ନିୟମରେ ଦିଆଯାଇଥିବା କ୍ଷମତା ବ୍ୟବହାର କରି ଏଲ୍ପିଜି ଉତ୍ପାଦନ ବଢ଼ାଇବାକୁ ତୈଳ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଅଧିକାଂଶ ପରିବାରରେ ଏଲ୍ପିଜିକୁ ରୋଷେଇ ଘରେ ବ୍ୟବହାର କରାଯାଉଛି । ତେଣୁ ତାହାର ନିରବଚ୍ଛିନ୍ନ ଯୋଗାଣ ନିହାତି ଜରୁରୀ ।
ଏହାକୁ ଦୃଷ୍ଟିରେ ରଖି ଏଲ୍ପିଜି ଉତ୍ପାଦନ ପାଇଁ ପ୍ରୋପେନ୍ ଓ ବ୍ୟୁଟେନ୍ ଗ୍ୟାସ୍ ବ୍ୟବହାର କରିବାକୁ ତୈଳ ବିଶୋଧନ କମ୍ପାନିଗୁଡ଼ିକୁ କୁହାଯାଇଛି । ଅନ୍ୟ କୌଣସି ପେଟ୍ରୋ ରସାୟନ ସାମଗ୍ରୀ ଉତ୍ପାଦନରେ ଏହି ଦୁଇ ଗ୍ୟାସ୍ ବ୍ୟବହାର କରିବାକୁ ବାରଣ କରାଯାଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଜାରି ରହିଲେ ଅଶୋଧିତ ତୈଳ ବଜାରରେ ନିଆଁ ଲାଗିଯିବ । ତେଲର ବ୍ୟାରେଲ ପିଛା ଦାମ୍ ୧୫୦ ଡଲାରରୁ ଅଧିକ ହୋଇଯିବ ବୋଲି କତର ଚେତାବନୀ ଦେଇଛି । କତରର ଶକ୍ତି ମନ୍ତ୍ରୀ ସାଦ ଅଲ-କାବି କହିଛନ୍ତି ଯେ ଯୁଦ୍ଧ ଲାଗିରହିଲେ ତେଲ ଉତ୍ପାଦନ ବନ୍ଦ କରିବାକୁ ଦେଶଗୁଡ଼ିକ ବାଧ୍ୟ ହେବ। ତାହା ସାରା ବିଶ୍ବ ପାଇଁ ଏକ ଶକ୍ତ ଧକ୍କା ହେବ । ଏହାର ପ୍ରଭାବରେ ତେଲ ମହଙ୍ଗା ହେବା ଆଶଙ୍କା ରହିଛି । ସେ ଗୁରୁତ୍ବପୂର୍ଣ୍ଣ ହରମୁଜ୍ ପ୍ରଣାଳୀ ସମ୍ପର୍କରେ କହିଛନ୍ତି ଯେ ଯଦି ଏହି ପଥ ଦେଇ ସାମୁଦ୍ରିକ ପରିବହନ ବାଧାପ୍ରାପ୍ତ ହେବ ତେବେ ଦୁଇରୁ ତିନି ସପ୍ତାହ ଭିତରେ ଅଶୋଧିତ ତୈଳ ମୂଲ୍ୟ ୧୫୦ ଡଲାର ଅତିକ୍ରମ କରିବ । ସେପଟେ ଯୁଦ୍ଧ ବନ୍ଦ ନ ହେଲେ ମଧ୍ୟପ୍ରାଚ୍ୟର ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ଫୋର୍ସ ମାଜିୟୁର ଘୋଷଣା କରିବେ ଓ ତେଲ ଯୋଗାଣ ସ୍ଥଗିତ ରଖିବାକୁ ବାଧ୍ୟ ହେବେ । ତୈଳ ଦର ବଢ଼ିଲେ ତାହା ବିଶ୍ବ ଅର୍ଥନୀତିକୁ ତଳକୁ ଟାଣିବ। ସାରା ବିଶ୍ବର ମୋଟ୍ ଘରୋଇ ଉତ୍ପାଦ ପ୍ରଭାବିତ ହେବ । ଉପସାଗରୀୟ ଦେଶଗୁଡ଼ିକ ପେଟ୍ରୋକେମିକାଲ୍ ଓ ସାରରେ ବ୍ୟବହାର କରାଯାଉଥିବା ଉପାଦାନ ବିପୁଳ ପରିମାଣରେ ଯୋଗାଇଥାନ୍ତି ।
ଅଧିକ ପଢନ୍ତୁ : ଭୀଷଣ ହେବାରେ ଲାଗିଛି ଇରାନ-ଇସ୍ରାଏଲ ଯୁଦ୍ଧ, ଆମେରିକାର ଆକ୍ରମଣ ଜାରି, ପାଲଟା ମିସାଇଲ ମାଡ଼ କରୁଛି ତେହେରାନ
ଯଦି ସେହି ସବୁ ସାମଗ୍ରୀ ଅନ୍ୟ ଦେଶରେ ପହଞ୍ଚିବାରେ ଅସୁବିଧା ହେବ ତେବେ ବିଶ୍ବବ୍ୟାପୀ କାରଖାନାଗୁଡ଼ିକରେ ଉତ୍ପାଦନ କମିଯିବ । ନିକଟରେ ଇରାନର ଡ୍ରୋନ ଆକ୍ରମଣ ପରେ କତର ଏହାର ତରଳୀକୃତ ପ୍ରାକୃତିକ ଗ୍ୟାସ୍ର ସର୍ବବୃହତ୍ କାରଖାନା ରାସ୍ ଲାଫାନକୁ ବନ୍ଦ କରିଦେଇଛି । କତର ହେଉଛି ବିଶ୍ବର ଦ୍ବିତୀୟ ବୃହତ୍ ଉତ୍ପାଦନକାରୀ ଦେଶ । ଇରାନ ଆକ୍ରମଣ ଦ୍ବାରା କେତେ କ୍ଷତି ହୋଇଛି ତାହାକୁ ବର୍ତ୍ତମାନ ଆକଳନ କରାଯାଉଛି । ମରାମତି ପାଇଁ କେତେ ସମୟ ଲାଗି ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣା ପଡ଼ିନଥିବା କାବି କହିଛନ୍ତି । ଯଦି କୌଣସି ସମୟରେ ଯୁଦ୍ଧ ବନ୍ଦ ହୋଇଯାଏ ତେବେବି ଯୋଗାଣ ସ୍ବାଭାବିକ ହେବା ଲାଗି ଏକ ମାସରୁ ଅଧିକ ସମୟ ଲାଗିଯିବ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/lpg-gas-2026-03-07-07-04-05.jpeg)