କନକ ବ୍ୟୁରୋ: ଲୋ-ଭୋଲଟେଜ୍ ସହ ଘନ ଘନ ବିଦ୍ୟୁତ୍ କାଟ ଯୋଗୁଁ ଉଜୁଡି ଗଲାଣି ରବି ଚାଷ। ଚାଷୀ ମୁଣ୍ଡରେ ଚଡକ ପଡିବା ପରେ ବିଦ୍ୟୁତ୍ ବିଭାଗର ଅବହେଳାକୁ ନେଇ ତୀବ୍ର ହୋଇଛି ପ୍ରତିବାଦର ସ୍ବର। ନବରଙ୍ଗପୁର ଜିଲ୍ଳା ରାଇଘରର ୨୬ଟି ପଞ୍ଚାୟତର ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାରି ଭିତରେ ଉଜୁଡି ଯାଇଥିବା ଚାଷର ବାସ୍ତବ ସ୍ଥିତି ପରଖିବା ପାଇଁ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି କନକ ନ୍ୟୁଜ୍।
ଯୁଆଡେ ଚାହିଁବ ପୋଡି ଯାଇଥିବା ଅବସ୍ଥାରେ ରବି ଫସଲ। ପାଣି ଅଭାବରୁ ଜମି ଫାଟି ଆଁ କରିଛି। କୃଷି ବହୁଳ ଜିଲ୍ଲା ନବରଙ୍ଗପୁର ରାଇଘର ବ୍ଲକରୁ ଆସିଛି ଏମିତି କିଛି ଖବର । ଜଳସେଚନ ସୁବିଧା ଥିବାରୁ ହଜାର ହଜାର ଏକର ଜମିରେ ମକା, ପନିପରିବା, ଫସଲ ଚାଷ କରିଥିଲେ ଚାଷୀ। କିନ୍ତୁ ଅମଳର ଠିକ୍ ପୂର୍ବରୁ ଲୋ-ଭୋଲଟେଜ୍ ସମସ୍ୟା ସାଜିଛି କାଳ। ୨୬ଟି ପଞ୍ଚାୟତରୁ ୬ଟି ପଞ୍ଚାୟତର ସ୍ଥିତି ସଙ୍ଗୀନ ରହିଛି। ଲୋ-ଭୋଲଟେଜ୍ ସମସ୍ୟା ଯୋଗୁଁ ମଟରରେ ପାଣି ଉଠୁନି। ଚାଷ ଜମିକୁ ପାଣି ମାଡି ପାରୁନି। ଯାହାଫଳରେ ଉଜୁଡି ଗଲାଣି ମକା ସମେତ ବିଭିନ୍ନ ରବି ଫସଲ।
ଲୋ-ଭୋଲଟେଜ୍ ସମସ୍ୟାର ସମାଧାନ ପାଇଁ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଭେଟି ଗୁହାରି କରିଥିଲେ ବି କିଛି ସୁଫଳ ମିଳିନି। ଶେଷରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି ଚାଷୀ। ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ କରିବା ସହ ରାଇଘର ବ୍ଲକର ୨୬ଟି ପଞ୍ଚାୟତର ବିଦ୍ୟୁତ୍ ସରବରାହ କାଟି ଦେଇଥିଲେ। ତେବେ ଗ୍ରୀଡ ପ୍ରତିଷ୍ଠା ହେଲେ ଏହାର ସ୍ଥାୟୀ ସମାଧାନ ହେବ ବୋଲି କହିଛନ୍ତି ଉମରକୋଟ ବିଦ୍ୟୁତ୍ ଏସଡିଓ। ତେବେ ଆସନ୍ତା ୬ତାରିଖ ସୁଦ୍ଧା ସମସ୍ୟାର ସମାଧାନ ପାଇଁ ଉପ-ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଛନ୍ତି ଚାଷୀ।