କନକ ବ୍ୟୁରୋ: କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । କିନ୍ତୁ ବିଭାଗୀୟ ବାବୁମାନଙ୍କ ଖାମଖିଆଲି କାମ ଯୋଗୁ ସେସବୁ କାର୍ୟ୍ୟରେ ଲାଗୁନାହିଁ । ଭୁଲ୍ ସ୍ଥାନରେ ଚେକଡ୍ୟାମ୍ ନିର୍ମାଣ ଯୋଗୁ ଜମିକୁ ପାଣି ମାଡ଼ି ପାରୁନି ।
ମାଳ ଅଞ୍ଚଳରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଜଳଉତ୍ସ ନିକଟରେ ଚେକଡ୍ୟାମ୍ ନିର୍ମାଣ କରାଯାଉଛି । କିନ୍ତୁ ଭୁଲ୍ ସ୍ଥାନରେ ନିର୍ମାଣ ଯୋଗୁ ଜମିକୁ ପାଣି ମାଡୁନି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଏମଆଇ ବିଭାଗ ପକ୍ଷରୁ ୨୦୨୩-୨୪ରେ କଞ୍ଜିଗୁଡ଼ାରେ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାରେ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଚେକଡ୍ୟାମ୍ ଇନିର୍ମାଣ ହୋଇଛି । କିନ୍ତୁ ନିମ୍ନ ମାନର କାମ ଯୋଗୁ ସ୍ଥାୟିତ୍ୱର ପ୍ରଶ୍ନ ଉଠିଥିବା ବେଳେ ପାଣି ରହୁନି ।
ଚେକଡ୍ୟାମରେ ଗେଟ୍ ଲାଗିନାହିଁ । ଚାଷୀ ପୂର୍ବ ଭଳି ମୋଟର ମାଧ୍ୟମରେ ଜଳସେଚନ କରୁଛନ୍ତି । ତଳିଆ ଅଞ୍ଚଳରେ ଚେକଡ୍ୟାମ୍ ନିର୍ମାଣ ହୋଇଥିବାରୁ ଜଳ ଧାରଣ କ୍ଷମତା କମ୍ ରହୁଛି । ଉପର ଅଞ୍ଚଳର ଚାଷଜମିକୁ ପାଣି ଯାଇପାରୁନାହିଁ । ଏମଆଇ ବିଭାଗ ଠିକାଦାରଙ୍କ ସ୍ୱାର୍ଥ ପାଇଁ କାମ କରୁଥିବା ଚାଷୀ ମହଲରେ ଚର୍ଚ୍ଚା ହେଉଛି । ଜୟପାଟଣାରେ ଅନେକ ଚେକଡ୍ୟାମ୍ ଅସ୍ତିତ୍ବ ହରାଇଥିବା ବେଳେ ଆସିଥିବା ଫଣ୍ଡରେ ବହୁ ଅନିୟମିତତା ଅଭିଯୋଗ ହୋଇଛି । ଚାଷୀଙ୍କ ସ୍ବାର୍ଥକୁ ନଦେଖି କାହା ସ୍ବାର୍ଥରେ ଚେକଡ୍ୟାମ୍ ନିର୍ମାଣ କରାଯାଇଛି ବୋଲି ପ୍ରଶ୍ନ ଉଠିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ୟ୍ୟାନୁଷ୍ଠାନ ପାଇଁ ଚାଷୀ ଦାବି କରିଛନ୍ତି ।