ଲଘୁଚାପ ଜନିତ ବର୍ଷା ଓ ବନ୍ୟା ଉଜାଡିଲା ଧାନ ଫସଲ,  ପାଣିରେ ବୁଡ଼ିଲା ହଜାର ହଜାର ହେକ୍ଟର ଧାନ କ୍ଷେତ

କେନ୍ଦ୍ରାପଡ଼ା ମାର୍ଶାଘାଇରେ ବି ସମାନ ଅବସ୍ଥା । ବ୍ୟାପକ ଧାନ ଫସଲ ନଷ୍ଟ ।

ବନ୍ୟା ଧୋଇଦେଲା ଧାନ ଫସଲ

ବନ୍ୟା ଧୋଇଦେଲା ଧାନ ଫସଲ Photograph: (KanakNews)

କନକ ବ୍ୟୁରୋ:  ଧାନ କ୍ଷେତରେ ଲହଡ଼ି ମାରୁଛି ଅଣ୍ଟାଏ ଉଚ୍ଚର ପାଣି। ଲଘୁଚାପ ଜନିତ ବର୍ଷା ପରେ ନଦୀର ବନ୍ୟା ପାଣି କ୍ଷେତକୁ ମାଡ଼ି ଯାଇଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ କରିଥିବା ସୁନାର ଫସଲ ଆଖି ଆଗରେ ନଷ୍ଟ ହେଉଛି । ପୁରୀ ଜିଲ୍ଲା କଣାସର ନାନକେରା, ସୀମିଳିପାଟଣା, ବାଲିପାଟଣା, ବଡ଼ାସ, ଗଡ଼ବଡ଼ପୁଟୁ, ଗଡ଼ସାନପୁଟୁ ମୌଜାର ହଜାର ହଜାର ଜମିରେ ହେକ୍ଟର ଜମି ପାଣିରେ ବୁଡ଼ିଛି । ଧାରକରଜ କରି ଧାନ ବୁଣିଥିଲା ଚାଷୀ ।

ଏବେ ବନ୍ୟା ସବୁ କିଛି ଉଜାଡ଼ିଦେବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି ।  କଣାସ ତଳିଆ ଅଞ୍ଚଳ ହୋଇଥିବାରୁ ଉପର ମୁଣ୍ଡର ବନ୍ୟା ପାଣି ଦୟା, ମକରା ଓ ରାଜୁଆ ନଦୀ ଦେଇ ଚିଲିକାକୁ ଯାଇଥାଏ। ତେଣୁ ପ୍ରତିବର୍ଷ ବନ୍ୟାରେ ସନ୍ତୁଳି ହୁଏ ଚାଷ ଓ ଚାଷୀ । ଗତ ବନ୍ୟାରେ ନଈପଠାରେ କରିଥିବା ପନିପରିବା ଫସଲ ନଷ୍ଟ ହୋଇଥିଲା । ଏଥର ବନ୍ୟା ଧାନ ଫସଲକୁ ନଷ୍ଟ କରିଛି । ଏତେ କ୍ଷୟକ୍ଷତି ପରେ ବି ପ୍ରାଶାସନିକ ଅଧିକାରୀଙ୍କ ଦେଖା ମିଳୁନାହିଁ। ଋଣ ଛାଡ଼ ସହ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି ।   କଣାସ ଅଞ୍ଚଳର ଚାଷୀଙ୍କ ପାଇଁ ପ୍ରତିବର୍ଷ ବନ୍ୟା ଦୁର୍ଦ୍ଦଶାକୁ ଡାକି ଆଣିଦେଉଛି । ପ୍ରାଶାସନିକ ଉଦାସୀନତା ଯୋଗୁଁ  ମାଳମାଳ ସରକାରୀ ଯୋଜନା ଚାଷୀଙ୍କ ପାଇଁ ସାତ ସପନ ପାଲଟିଛି। ତେଣୁ ଦାଦନ ଯିବାକୁ ସଜବାଜ ହେଉଛି ଚାଷୀକୁଳ । 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe