କନକ ବ୍ୟୁରୋ: ଧାନ କ୍ଷେତରେ ଲହଡ଼ି ମାରୁଛି ଅଣ୍ଟାଏ ଉଚ୍ଚର ପାଣି। ଲଘୁଚାପ ଜନିତ ବର୍ଷା ପରେ ନଦୀର ବନ୍ୟା ପାଣି କ୍ଷେତକୁ ମାଡ଼ି ଯାଇଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ କରିଥିବା ସୁନାର ଫସଲ ଆଖି ଆଗରେ ନଷ୍ଟ ହେଉଛି । ପୁରୀ ଜିଲ୍ଲା କଣାସର ନାନକେରା, ସୀମିଳିପାଟଣା, ବାଲିପାଟଣା, ବଡ଼ାସ, ଗଡ଼ବଡ଼ପୁଟୁ, ଗଡ଼ସାନପୁଟୁ ମୌଜାର ହଜାର ହଜାର ଜମିରେ ହେକ୍ଟର ଜମି ପାଣିରେ ବୁଡ଼ିଛି । ଧାରକରଜ କରି ଧାନ ବୁଣିଥିଲା ଚାଷୀ ।
ଏବେ ବନ୍ୟା ସବୁ କିଛି ଉଜାଡ଼ିଦେବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । କଣାସ ତଳିଆ ଅଞ୍ଚଳ ହୋଇଥିବାରୁ ଉପର ମୁଣ୍ଡର ବନ୍ୟା ପାଣି ଦୟା, ମକରା ଓ ରାଜୁଆ ନଦୀ ଦେଇ ଚିଲିକାକୁ ଯାଇଥାଏ। ତେଣୁ ପ୍ରତିବର୍ଷ ବନ୍ୟାରେ ସନ୍ତୁଳି ହୁଏ ଚାଷ ଓ ଚାଷୀ । ଗତ ବନ୍ୟାରେ ନଈପଠାରେ କରିଥିବା ପନିପରିବା ଫସଲ ନଷ୍ଟ ହୋଇଥିଲା । ଏଥର ବନ୍ୟା ଧାନ ଫସଲକୁ ନଷ୍ଟ କରିଛି । ଏତେ କ୍ଷୟକ୍ଷତି ପରେ ବି ପ୍ରାଶାସନିକ ଅଧିକାରୀଙ୍କ ଦେଖା ମିଳୁନାହିଁ। ଋଣ ଛାଡ଼ ସହ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି । କଣାସ ଅଞ୍ଚଳର ଚାଷୀଙ୍କ ପାଇଁ ପ୍ରତିବର୍ଷ ବନ୍ୟା ଦୁର୍ଦ୍ଦଶାକୁ ଡାକି ଆଣିଦେଉଛି । ପ୍ରାଶାସନିକ ଉଦାସୀନତା ଯୋଗୁଁ ମାଳମାଳ ସରକାରୀ ଯୋଜନା ଚାଷୀଙ୍କ ପାଇଁ ସାତ ସପନ ପାଲଟିଛି। ତେଣୁ ଦାଦନ ଯିବାକୁ ସଜବାଜ ହେଉଛି ଚାଷୀକୁଳ ।