କନକବ୍ୟୁରୋ : ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଥିବା ବେଳେ ଆସନ୍ତାକାଲି ଆଉ ଏକ ଲଘୁଚାପ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦୁଇ ଦୁଇଟି ଲଘୁଚାପ ପ୍ରଭାବରେ ୨୭ ତାରିଖ ଯାଏ ପ୍ରବଳ ବର୍ଷା ଲାଗି ରହିବ ।
ଉତ୍ତର ଓଡିଶା ଓ ତତସଂଲଗ୍ନ ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଉପରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତାର ପାଶ୍ୱବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହୋଇଥିଲା। ଆଜି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ବର୍ଷାର ସମ୍ଭାବନା ରହିଛି । ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ୪ ଜିଲ୍ଲା ସମେତ ମୋଟ୍ ୨୦ ଜିଲ୍ଲାରେ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ।
ଆସନ୍ତାକାଲିଠୁ ବର୍ଷାର ପରିମାଣ ବଢିବ। ଆସନ୍ତାକାଲି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ପୁଣି ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆଶଙ୍କା । ରାଜଘାଟରେ ବିପଦ ସଙ୍କେତ ନିକଟରେ ବନ୍ୟାଜଳ। ରାଜଘାଟଠାରେ ବିପଦ ସଂକେତ ୧୦ ଦଶମିକ ୩୬ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦ ଦଶମିକ ୩୫ ମିଟରରେ ପ୍ରବାହିତ ହେଉଛି ।
ସୁବର୍ଣ୍ଣରେଖା ନଦୀର ଚଳିତ ବର୍ଷ ଆସିଛି ଷଷ୍ଠ ବନ୍ୟା। ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ୫ ହଜାର କ୍ୟୁସେକ ପାଣି ଛଡାଯାଇଥିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଫଳରେ ନଦୀର ଗାଲୁଡିହ ବ୍ୟାରେଜରୁ ପାଣି ଛଡା ଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ରାଜଘାଟ ନିକଟରେ ବନ୍ୟା ଜଳ ଅତିକ୍ରମ କରିବ ବୋଲି ଅନୁମାନ କରାଯାଇଛି। ତେଣୁ ବାଲିଆପାଳ ଓ ଭୋଗରାଇ ଅଞ୍ଚଳରେ ବନ୍ୟା ହେବ ବୋଲି ଆଶଙ୍କା କରାଯାଉଛି।
---