କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଗାମୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଏହାର ପ୍ରଭାବରେ ଆଗାମୀ ୩ ଦିନ ଧରି ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । କେବଳ ବର୍ଷିବନି ବରଂ ବିଜୁଳି, ଘଡ଼ଘଡ଼ି ସହ ଝଟକା ପବନ ବହିବ । ଏଥିପାଇଁ କିଛି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଘଣ୍ଟା ଭିତରେ କଟକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
- ୨୮ ମେ’ : କଟକ, ପୁରୀ, ଜଗତସିଂହପୁର, ରାୟଗଡ଼ା, କୋରାପୁଟକୁ ଅରେଞ୍ଜ୍ ୱାର୍ଣ୍ଣିଂ
- ୨୯ ମେ’ : ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାକୁ ଅରେଞ୍ଜ୍ ୱାର୍ଣ୍ଣିଂ
- ୩୦ ମେ’ : ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କୋରାପୁଟ, ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ
- ୩୧ ମେ’: ମୟୂରଭଞ୍ଜ, କେନ୍ଦୁଝରକୁ ୟେଲୋ ୱାର୍ଣ୍ଣିଂ
ଗୋଟିଏ ପଟେ ଲଘୁଚାପ ଏବଂ ଅନ୍ୟପଟେ ଆଗାମୀ ୨ ଦିନରେ ଓଡ଼ିଶା ଛୁଇଁବ ମୌସୁମୀ । ତେଣୁ ଚଳିତବର୍ଷ ସ୍ବାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହେବା ନେଇ ଆକଳନ କରିଛି ଆଇଏମଡି ।
ମୌସୁମୀ ବର୍ଷା : ଆଇଏମଡିର ପୂର୍ବାନୁମାନ
- କେନ୍ଦ୍ର ଓ ଦକ୍ଷିଣ ଭାରତରେ ସ୍ବାଭାବିକଠାରୁ ଅଧିକ ବର୍ଷା
- ପୂର୍ବ ଓ ଉତ୍ତର ଭାରତରେ ସ୍ବାଭାବିକଠାରୁ କମ ବର୍ଷା
- ଉତ୍ତର ପଶ୍ଚିମ ଭାରତରେ ସାମାନ୍ୟ ବର୍ଷା ସମ୍ଭାବନା
- ଗୁଜରାଟ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଓଡ଼ିଶାରେ ଅଧିକ ବର୍ଷା
- ପୂରା ଦେଶରେ ୧୦୬% ବର୍ଷା ସମ୍ଭାବନା ରହିଛି
- ଆକଳନଠାରୁ ୪% କମ୍ କିମ୍ବା ଅଧିକ ବର୍ଷା ହୋଇପାରେ
- ପ୍ରାକ ମୌସୁମୀ ବର୍ଷା ଅଧିକ ରହିଛି, ଜୁନରେ ଅଧିକ ବର୍ଷା ସମ୍ଭାବନା
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଭିତରେ ଜିଲ୍ଲାପାଳଙ୍କୁ ସର୍ତକତା ନେଇ ଚିଠି ଲେଖିଛନ୍ତି ଏସଆରସି । ବଜ୍ରପାତ ଅଘଟଣ ଏଡ଼ାଇବା ସହ ଲୋକଙ୍କୁ ସଚେତନ କରିବାକୁ କୁହାଯାଇଛି । ବର୍ଷାଜନିତ କ୍ଷୟକ୍ଷତି ବାବଦରେ ତୁରନ୍ତ ରିପୋର୍ଟ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।