କନକ ବ୍ୟୁରୋ : ଦକ୍ଷିଣ ଉପକୂଳ ମିଆଁମାର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୪ ଘଣ୍ଟାରେ ଘନୀଭୁତ ହୋଇ ନେବ ଲଘୁଚାପର ରୂପ । ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି । ପ୍ରବଳ ବର୍ଷା ନେଇ ୨୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କାଲି ପ୍ରବଳ ବର୍ଷା ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରିକୁ ସତର୍କତା ଜାରି କରାଯାଇଛି । ୨୪ ତାରିଖରୁ ୨୬ ତାରିଖ ପର୍ୟ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, ବରଗଡ, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
୨୬ ତାରିଖରେ ପାଗରେ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ଆସନ୍ତା କାଲିଠାରୁ ଫେରିଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପଶ୍ଚିମ ରାଜସ୍ଥାନ ଏବଂ କଚ୍ଛ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯିବା ନେଇ ପାଗ ଅନୁକୂଳ ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କିନ୍ତୁ ସେପ୍ଟେମ୍ବର ତୃତୀୟ ସପ୍ତାହରେ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ୭୦ରୁ ୮୦ ପ୍ରତିଶତ ଆର୍ଦ୍ରତା ପାଇଁ ଗରମ ହେଉଛି । ଲଘୁଚାପ ଯୋଗୁଁ ପାଣିପାଗ ବିଭାଗ ପ୍ରବଳ ବର୍ଷାର ଚେତାବନୀ ଦେଇଛି । ସେପଟେ ଉତର ଓଡିଶାରେ ବନ୍ୟା ପ୍ରଭାବ କମିଥିଲେ ବି ଲୋକଙ୍କ ଦୁର୍ଦ୍ଦଶା ଥମୁନି ।