କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର । ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ସମୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ, ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆଗାମୀ ୨ଦିନ ଯାଏଁ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଉତ୍ତର ଓଡିଶା, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡ ମଧ୍ୟ ଦେଇ ଗତିକରିବାର ସମ୍ଭାବନା ରହିଛି । ପ୍ରଭାବର ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଘୁଚାପ ପାଇଁ ଉତ୍ତର ଓଡିଶାରେ ପୁଣି ବନ୍ୟା ସ୍ଥିତି ଉପୁଜିପାରେ । ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖାରେ ପୁଣି ବନ୍ୟା ଆସିବାର ଆଶଙ୍କା ରହିଛି । 

Advertisment

ସମ୍ଭାବ୍ୟ ଲଘୁଚାପକୁ ନେଇ ଆଜି ଭୋଗରାଇ ମତ୍ସ୍ୟ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାର ସଚେତନ କରାଯାଇଛି । ପଶ୍ଚିମବଙ୍ଗ ଦିଘା ନିକଟ ଉଦୟପୁର, ତାଳସାରୀ, ବିଚିତ୍ରପୁର ଓ କୀର୍ତ୍ତନୀୟ ସମୁଦ୍ର ମୁହାଁଣରେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଏହାସହ ଉପକୂଳବାସୀ ସହ ତଳିଆ ଅଞ୍ଚଳର ଲୋକଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମତ୍ସ୍ୟ ବିଭାଗ ଓଡ଼ିଶାଙ୍କ ନିର୍ଦ୍ଦେଶ କ୍ରମେ , ସମୁଦ୍ରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆଜିଠୁ ୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ପ୍ରବଳ ବର୍ଷା ଓ ପବନ ଲାଗିରହିବ । ଫଳରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି  । ନିଜ ନିଜର ଡଙ୍ଗା ଓ ଜାଲ ସୁରକ୍ଷିତ ସ୍ଥାନରେ ରଖନ୍ତୁ, ନିଜେ ସୁରକ୍ଷିତ ରୁହନ୍ତୁ ବୋଲି କୁହାଯାଇଛି । ଧନ ଓ ଜୀବନ ସୁରକ୍ଷା ନିମନ୍ତେ ଏହା ପାଳନ କରିବା ଅତ୍ୟନ୍ତ ଜରୁରୀ ଅଟେ ।